ଲାହୋର: ଆଉ କିଛି ଦିନ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ ପାକିସ୍ତାନ । କୋରୋନା ମହାମାରୀ ପରେ ଏହା ପାକିସ୍ତାନ କ୍ରିକେଟ ଦଳର ପ୍ରଥମ ମ୍ୟାଚ ହେବ । ମାତ୍ର ଦଳକୁ ଏଯାଏ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ । ନିକଟରେ ଏକ ମୃଦୁ ପାନୀୟ କମ୍ପାନୀ ସହିତ ପ୍ରାୟୋଜକ ଚୁକ୍ତି ଶେଷ ହେବା ପରେ ପିସିବି ପ୍ରାୟୋଜକ ଖୋଜିବା ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି ।
ଉଲ୍ଲେଖଥାଉ କି, ପାକିସ୍ତାନ କ୍ରିକେଟ ଦଳର ଅଫିସିଆଲ୍ସ ସ୍ପନ୍ସର ଥିବା ମୃଦୁ ପାନୀୟ ପେପ୍ସିର ଚୁକ୍ତି ଗତ ମାସରେ ଶେଷ ହୋଇସାରିଛି । ତେଣୁ ବର୍ତ୍ତମାନ ଦଳ ଜର୍ସି ତଥା ଟ୍ରେନିଂ କିଟ୍ ଉପରେ ଲାଗିବା ପାଇଁ କୌଣସି ସ୍ପୋନ୍ସର ନାହିଁ । ଅନ୍ୟପଟେ ପେପସୀ ତାର ଚୁକ୍ତିକୁ ଚଳିତ କ୍ରିକେଟ ଋତୁ ପାଇଁ ପୁନର୍ବାର ରଖିବାକୁ ଚାହୁଁ ନାହିଁ । ଯାହା ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାଇଁ ମୁଣ୍ଡ ବିନ୍ଧା କାରଣ ପଲଟିଛି ।
ତେବେ କିଛି ଦିନ ତଳେ ହୋଇଥିବା ବିଡିଂ ପ୍ରକ୍ରିୟାରେ କେବଳ ଗୋଟିଏ କମ୍ପାନୀ ପ୍ରାୟୋଜକ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ, ବିଡିଂ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ପୂର୍ବ ଚୁକ୍ତି ତୁଳନାରେ ମାତ୍ର 30 ପ୍ରତିଶତ ମୂଲ୍ୟ ଦେବାକୁ ରାଜି ହୋଇଥିଲା । ତେବେ ପ୍ରାୟୋଜକମାନଙ୍କ ଅଭାବକୁ ନେଇ ପିସିବି ଚିନ୍ତିତ ଥିବାବେଳେ ବୋର୍ଡର ମାର୍କେଟିଂ ବିଭାଗ ଏହି କୋରୋନା ମହାମାରୀକୁ ପ୍ରାଥମିକ କାରଣ ବୋଲି କହିଛି ।