ସାଉଥାମ୍ପଟନ: ଏକ ଦଶନ୍ଧି ପରେ କ୍ରିକେଟର ଲମ୍ବା ଫର୍ମାଟ ଅର୍ଥାତ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି, ପାକିସ୍ତାନ କ୍ରିକେଟର ଫୱାଦ ଆଲାମ । ଗୁରୁବାର ସାଉଥାମ୍ପଟନରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଫୱାଦ । ବର୍ଷ 2009 ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ଫୱାଦ । ସମାନ ବର୍ଷ ଜୁଲାଇ ମାସରେ ସେ ଡେବ୍ୟୁ କରିଥିଲେ ।
ଦ୍ବିତୀୟ ଟେଷ୍ଟରେ ସଦାବ ଖାଙ୍କ ସ୍ଥାନରେ ଫୱାଦଙ୍କୁ ଟିମରେ ସାମିଲ କରାଯାଇଛି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର 4ର୍ଥ ଟେଷ୍ଟ । ଏକ ଦଶନ୍ଧିର ପ୍ରତିକ୍ଷା ପରେ ଟେଷ୍ଟ ଟିମକୁ ଫେରିଥିବା ଖେଳାଳିଙ୍କ ତାଲିକାରେ ଫୱାଦ ବିଶ୍ବରେ 25ତମ ଓ ପାକିସ୍ତାନର 2ୟ କ୍ରିକେଟର ହୋଇଛନ୍ତି । ପୂର୍ବରୁ 1987ରେ ଶେଷ ଟେଷ୍ଟ ଖେଳିବାପରେ ୟୁନିସ ଅହମ୍ମଦ 17 ବର୍ଷ ପରେ ଟେଷ୍ଟ ଟିମକୁ ଫେରିଥିଲେ ।