ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ରିହାନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ସଦସ୍ୟ ପ୍ରଜ୍ଞାନ ଓଝା। ଦେଶରେ କୃଷି ବିଲକୁ ନେଇ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ରିହାନା ଏକ ଟ୍ବିଟ କରି କଟାକ୍ଷ କରିଥିଲେ। ଏହାକୁ ନେଇ ଦେଶର ଆଭ୍ୟନ୍ତରୀଣ ବିଷୟକୁ କୌଣସି ବାହାର ଲୋକ ନାକ ପୁରାନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଜ୍ଞାନ ଓଝା।
ଚାଷୀ ଆନ୍ଦୋଳନ ବ୍ୟାପକ ହେବାକୁ ଲାଗିଥିବାରୁ ନୂଆଦିଲ୍ଲୀ ସମେତରେ ହରିଆଣାର କେତେକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ କମାଇ ଦିଆଯାଇଛି। ଏକ ଜଣାଶୁଣା ଗଣମାଧ୍ୟମ ଏହାକୁ ନେଇ ଏକ ଖବର ପ୍ରକାଶ କରିଥିଲା। ଏହାକୁ ଟ୍ବିଟ କରି ରିହାନା ଲେଖିଥିଲେ ଯେ, "କାହିଁକି ଆମେ ଏ ବିଷୟରେ କଥା ହେଉନାହୁଁ ?"
ରିହାନାଙ୍କ ଏଭଳି ଟ୍ବିଟର ଉତ୍ତର ରଖିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ରିହାନାଙ୍କୁ ଟ୍ବିଟ କରି ଲେଖିଥିଲେ ଯେ, "ମୋ ଦେଶର ଚାଷୀଙ୍କୁ ନେଇ ଗର୍ବ କରେ । ସେମାନେ ଆମ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଆମେ ଅବଗତ ଅଛୁ। ଯଥାଶୀଘ୍ର ଏନେଇ କୌଣସି ସମାଧାନର ବାଟ ବାହାରିବ। ଦେଶରେ ଆଭ୍ୟନ୍ତରୀଣ ମାମଲାରେ କୌଣସି ବାହାର ଲୋକ ନାକ ପୁରାଇବାର ଆବଶ୍ୟକତା ନାହିଁ।"