ଓଡିଶା

odisha

ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିଟମ୍ୟାନଙ୍କ ହେବ ଅସଲି ଟେଷ୍ଟ - ପ୍ରଥମ ଟେଷ୍ଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ହିଟମ୍ୟାନ ରୋହିତଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ । ଟେଷ୍ଟ ଓପନର ଭାବେ ଦିନିକିଆ କ୍ରିକେଟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ କ୍ରିକେଟର ଲମ୍ବା ଫର୍ମାଟରେ ଟେଷ୍ଟ କରିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 1, 2019, 8:10 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ହିଟମ୍ୟାନ ରୋହିତଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ । ଦିନିକିଆ ଫର୍ମାଟରେ ଟିମ ଇଣ୍ଡିଆର ଏହି ସଫଳ ଓପନରଙ୍କୁ ଟେଷ୍ଟ କ୍ରିକେଟରେ ମିଳିଛି ନୂଆ ଦାୟିତ୍ବ । ଟେଷ୍ଟ ଓପନର ଭାବେ ଦିନିକିଆ କ୍ରିକେଟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ କ୍ରିକେଟର ଲମ୍ବା ଫର୍ମାଟରେ ଟେଷ୍ଟ କରିବ ଟିମ ଇଣ୍ଡିଆ । ମୟଙ୍କ ଅଗ୍ରୱାଲ ହେବେ ତାଙ୍କର ନୂଆ ଟେଷ୍ଟ ଓପନିଙ୍ଗ ପାର୍ଟନର ।

ରୋହିତ ଶର୍ମା

ରୋହିତ ଟେଷ୍ଟରେ ଓପନିଙ୍ଗ କରିବା ନେଇ କ୍ୟାପଟେନ ବିରାଟ ମଧ୍ୟ ଖୁସି ଓ ଉତ୍ସାହିତ ବୋଲି କହିଛନ୍ତି । କୋହଲି କହିଛନ୍ତି ରୋହିତ ସିନିୟର ଖେଳାଳି । ସେ ଜଣେ ସଫଳ ଓପନର । ଦିନିକିଆ କ୍ରିକେଟରେ ରୋହିତ ଓପନିଙ୍ଗରେ ପାଇଥିବା ସଫଳତା ଟେଷ୍ଟରେ ହାସଲ କଲେ ଟିମକୁ ଫାଇଦା ହେବ ।

ଭିଡିଓ ସୌଜନ୍ୟ: twitter@BCCI

କେମିତି ଥିଲା ରୋହିତଙ୍କ କ୍ୟାରିୟର:

2013ରେ ସଚିନଙ୍କ ଶେଷ ଟେଷ୍ଟ ସିରିଜରେ ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଡେବ୍ୟୁ ମ୍ୟାଚରେ 177 ରନର ବିରାଟ ପାଳି ଖେଳିଥିଲେ ରୋହିତ । ଏହି ଇଂନିସ ଥିଲା ଟେଷ୍ଟ ଡେବ୍ୟୁ ଭାରତୀୟ ଖେଳାଳି ଭାବେ 2ୟ ସର୍ବାଧିକ ସ୍କୋର । 2018-19 ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ବକ୍ସିଂ ଡେ 3ୟ ଟେଷ୍ଟରେ ରୋହିତ ଅପରାଜିତ 63 ରନର ପାଳି ଖେଳିଥିଲେ । ଯାହାଦ୍ବାରା ଭାରତର ସ୍କୋର 443/7 ରେ ପହଞ୍ଚିଥିଲା । ଫଳରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଉକ୍ତ ମ୍ୟାଚରେ ପରାସ୍ତ କରିବା ସହ ସିରିଜ ବିଜୟୀ ମଧ୍ୟ ହୋଇଥିଲା ।

ବର୍ତ୍ତମାନ ସମୟରେ ରୋହିତ ଶର୍ମା କ୍ରିକେଟ ଦୁନିଆର ଏକ ପରିଚିତ ନାମ । ମାତ୍ର କ୍ୟାରିୟର ଆରମ୍ଭରୁ ଏତେ ସହଜ ନଥିଲା ଏହି ଖେଳାଳିଙ୍କ କ୍ରିକେଟ ପଦାର୍ପଣ । 2007 ଜୁନ 23ରେ ଦୁର୍ବଳ ଆୟରଲାଣ୍ଡ ବିପକ୍ଷରେ ଫ୍ୟୁଚର କପରେ ଡେବ୍ୟୁ କରନ୍ତି ରୋହିତ । 7 ନଂ ସ୍ଥାନରେ ବ୍ୟାଟିଂ ଆରମ୍ଭ କରନ୍ତି ରୋହିତ ଶର୍ମା । ତେବେ ଡେବ୍ୟୁ ମ୍ୟାଚରେ ତାଙ୍କୁ ବ୍ୟାଟିଂ ମିଳେନାହିଁ । 9 ୱିକେଟରେ ଭାରତ ସେହି ମ୍ୟାଚରେ ବିଜୟୀ ହୁଏ । ଏହାପରେ ସେ 2007ରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଧଶତକୀୟ ଇଂନିସ ଖେଳନ୍ତି ।

ଅଷ୍ଟ୍ରେଲିଆରେ 2007-08 କମନୱେଲଥ ବ୍ୟାଙ୍କ ସିରିଜ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳେ । ସିରିଜରେ 2ଟି ଅର୍ଧଶତକ ସହ ମୋଟ 235ରନ ସଂଗ୍ରହ କରନ୍ତି ରୋହିତ । ନିଜ କ୍ରିକେଟ କ୍ୟାରିୟରର କୌଣସି ଏକ ଗୁରୁତ୍ବପୂର୍ଣ୍ଣ ସିରିଜର ପ୍ରଥମ ଫାଇନାଲରେ ରୋହିତ ଦମଦାର ବ୍ୟାଟିଂ କରନ୍ତି । ସଚିନଙ୍କ ସହ ମିଶି ଭାରତକୁ ବିଜୟୀ କରାଇବାରେ ସହାୟକ ହୁଅନ୍ତି । ଫଳରେ ଟିମ ଇଣ୍ଡିଆ ସଫଳତାର ସହ ଏକ କଷ୍ଟକର ଲକ୍ଷ୍ୟକୁ ହାସଲ କରି ଚମ୍ପିଆନ ହୁଏ ।

ମାତ୍ର କିଛି ମ୍ୟାଚ ପରେ ହିଁ ରୋହିତଙ୍କ ବ୍ୟାଟ ନୀରବ ହୋଇଯାଏ । ସୁରେଶ ରାଇନା ଓ ପରେ ରିଜର୍ଭ ବ୍ୟାଟ୍ସମ୍ୟାନଥିବା ବିରାଟ କୋହଲି ତାଙ୍କ ମଧ୍ୟକ୍ରମରେ ବ୍ୟାଟିଂ ସ୍ଥାନକୁ ଅକ୍ତିଆର କରନ୍ତି । ଫଳରେ ରୋହିତଙ୍କୁ ରଣଜି କ୍ରିକେଟକୁ ପୂନର୍ବାର ଫେରିବାକୁ ପଡେ । ଡିସେମ୍ବର 2009ରେ ରୋହିତ ଖେଳନ୍ତି ରଣଜି କ୍ୟାରିୟରର ସର୍ବଶ୍ରେଷ୍ଠ ଇଂନିସ । ତ୍ରିଶତକ ସହ ପୁଣି ଫର୍ମକୁ ଫେରିବାର ସଂକେତ ଦିଅନ୍ତି । ପରେ ଜାତୀୟ ଦଳରୁ ପୁଣି ଆସେ ଡାକରା । ସୌଭାଗ୍ୟବଶତଃ ସଚିନ ବାଂଲାଦେଶରେ ହେବାକୁଥିବା ତ୍ରିପାକ୍ଷିକ ସିରିଜରୁ ବିଶ୍ରାମ ନିଅନ୍ତି । ସଚିନଙ୍କ ଅନୁପସ୍ଥିତିର ଫାଇଦା ଉଠାନ୍ତି ରୋହିତ। ଜିମ୍ବାୱେ ବିପକ୍ଷରେ ଖେଳନ୍ତି ଦିନିକିଆ କ୍ରିକେଟର ପ୍ରଥମ ଶତକ । ଏହାର ଠିକ ପରବର୍ତ୍ତୀ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷ ତ୍ରିପାକ୍ଷିକ ସିରିଜରେ 101 ରନର ଅପରାଜିତ ଇଂନିସ ଖେଳନ୍ତି । ତେବେ 2011 ପୂର୍ବରୁ ରୋହିତ ପୁଣି ଫର୍ମ ହରାଇବସନ୍ତି । ସେଥିପାଇଁ 2011 ବିଶ୍ବକପ ଦଳରେ ତାଙ୍କୁ ସାମିଲ କରାଯାଏ ନାହିଁ ।

2012ରେ ଖରାପ ପ୍ରଦର୍ଶନ ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୋହିତ ମାତ୍ର 168 ରନ କରନ୍ତି । ସେବେ କ୍ୟାପଟେନ ଥିବା ଧୋନି, ରୋହିତଙ୍କୁ 2013ରେ ଶିଖର ଧାୱନଙ୍କ ସହ ଆଇସିସି ଚମ୍ପିଆନସ ଟ୍ରଫିରେ ଓପନର ଭାବେ ଖେଳାନ୍ତି । ଫାଇନାଲରେ ଭାରତ ଇଂଲଣ୍ଡକୁ ହରାଇ ଚମ୍ପିଆନ ହୁଏ । ପରେ ଦିନିକିଆ କ୍ରିକେଟର ବାଦଶାହା ପାଲଟିଯାଆନ୍ତି ରୋହିତ । 2014 ନଭେମ୍ବରରେ ଐତିହାସିକ ଇଡେନ ଗାର୍ଡେନରେ ଶ୍ରୀଲଙ୍କା ବିପକ୍ଷରେ 173 ବଲରୁ 264 ରନର ପାଳି ଖେଳି କ୍ରିକେଟ ଜଗତରେ ନିଆରା ରେକର୍ଡ କରନ୍ତି । ପରେ 3ଟି ଦ୍ବିଶତକ ହାସଲ କରିବାରେ ରୋହିତ ପ୍ରଥମ କ୍ରିକେଟର ହୁଅନ୍ତି । ଏହାପରେ ରୋହିତ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ହୁଅନ୍ତି । ହିଟମ୍ୟାନ ନାମରେ ତାଙ୍କୁ ପ୍ରଶଂସକ ନାମିତ କରନ୍ତି । ରୋହିତଙ୍କ ନାମରେ ରହିଛି 27ଟି ଶତକ 42ଟି ଅର୍ଧଶତକ । 27 ଟି ଟେଷ୍ଟରୁ 3ଟି ଶତକ ଓ 10ଟି ଅର୍ଧଶତକ ମଧ୍ୟ ହାସଲ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । 2019 ବିଶ୍ବକପରେ ଟିମ ଇଣ୍ଡିଆର ହିରୋ ଥିଲେ ରୋହିତ । ବିଶ୍ବକପ ଇତିହାସରେ ଲଗାତାର 5ଟି ଶତକ ହାସଲ କରି ହିଟମ୍ୟାନରୁ ରେକର୍ଡମ୍ୟାନ ହୁଅନ୍ତି । ତେବେ ସେମିଫାଇନାଲରେ ଭାରତର ପରାଜୟରେ ହୁଏ । ଡ୍ରେସିଂରୁମରେ ରୋହିତଙ୍କ ଆଖିରେ ଲୁହ ଦେଖାଯାଏ । ଭାରତୟ ବିଶ୍ବକପ ସ୍ବପ୍ନ ଅଧାରେ ରହିଯାଏ ।

ABOUT THE AUTHOR

...view details