ଓଡିଶା

odisha

ETV Bharat / sports

ଦ୍ୱିତୀୟ ଟି-20: ଲାଗିଲା ପରାଜୟ ଧାରାରେ ବ୍ରେକ୍, 7ୱିକେଟରେ ଜିତିଲା ଭାରତ

2ୟ ଟି-20କୁ 7ୱିକେଟରେ ଜିତି ନେଇଛି ଭାରତ । ଏହା ସହିତ 3ଟିକିଆ ଟି-20 ସିରିଜକୁ 1-1ରେ ବରାବର ରଖିଛି ଭ୍ରମଣକାରୀ ଦଳ। ଆଜିର ମ୍ୟାଚରେ କୃଣାଲ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ସମ୍ମାନ ଦିଆଯାଇଛି।

By

Published : Feb 8, 2019, 8:30 PM IST

Updated : Feb 8, 2019, 9:32 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଅକ୍‌ଲାଣ୍ଡ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ 7 ଓ୍ୱିକେଟରେ ହରାଇଲା ଭାରତ । ଏହା ସହିତ 3ଟିକିଆ ଟି-20 ସିରିଜକୁ 1-1ରେ ବରାବର ରଖିଛି ଭ୍ରମଣକାରୀ ଦଳ ଭାରତ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ 3ଟି ଓ୍ୱିକେଟ ହାତେଇଥିବା କୃଣାଲ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 158 ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ତିଆ 7ଟି ବଲ ବାକି ଥାଇ 7 ୱିକେଟରେ 162 ରନ୍‌ କରି ମ୍ୟାଚରେ ବିଜୟ ହାସଲ କରିଛି ।

ତେବେ ଟସ୍ ହାରି ପ୍ରଥମେ ବୋଲିଂ କରିଥିବା ଭ୍ରମଣକାରୀ ଦଳ ଘାତକ ବୋଲିଂ ବଳରେ 158ରନରେ ଘରୋଇ ଦଳକୁ ରୋକି ପାରିଥିଲା। ଏଥି ସହିତ ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ପଡିଆକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଓପନର ଶିଖର ଧୱନ୍ । ଉଭୟଙ୍କ ଲଢୁଆ 79ରନର ଭାଗୀଦାରି ଦଳୀୟ ସ୍କୋରକୁ ଏକ ମଜବୁତ ସ୍ଥିତିରେ ଆଣି ଠିଆ କରିଥିଲା। ରୋହିତଙ୍କ ଦମଦାର ଅର୍ଦ୍ଧଶତକ ସହ ନ୍ୟୁଜିଲାଣ୍ଡ ମାଟିରେ ତାଙ୍କ କ୍ୟାରିୟରରେ ଯୋଡି ଦେଲେ ଅନେକ ରେକର୍ଡ । 29 ବଲରେ ବିଶାଳ 4ଟି ଛକା ଓ ଦମଦାର 3ଟି ଚୌକା ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ ଥିଲା। ତେବେ ବଡ଼ ସଟ୍‌ ଖେଳିବା ଆଶାରେ ରୋହିତ ବିପକ୍ଷ ଦଳର ଈଶ ଶୋଢ଼ିଙ୍କ ପ୍ରଥମ ଶିକାର ହୋଇଥିଲେ । ଏହାପରେ 30 ରନ୍‌ କରିଥିବା ଧୱନଙ୍କୁ ଲୁକି ଫରଗୁସନ୍‌ ଆଉଟ୍‌ କରି ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ ।

ମାତ୍ର 4ର୍ଥ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଯୁବ ଋଷଭ ପନ୍ତଙ୍କ ଦମଦାର ଇନିଂସ ବଳରେ ଭାରତ ବିଜୟ ଦ୍ୱାରରେ ପହଞ୍ଚି ପାରିଥିଲା। ତାଙ୍କ ପୂର୍ବରୁ 3ୟ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ବିଜୟ ଶଙ୍କର ମାତ୍ର 14ରନ କରି ପାରିଥିଲେ। ପନ୍ତ ପ୍ରଥମେ ଧୱନଙ୍କ ସହ 9ରନ୍, ବିଜୟ ଶଙ୍କରଙ୍କ ସହ 30ରନ୍‌ ଓ ଶେଷରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ଅପରାଜିତ 44 ଭାଗିଦାରି ଖେଳି ବିଜୟର ମୁଣ୍ଡି ମାରିଥିଲେ।

ତେବେ ପନ୍ତ 28ବଲରୁ ଦ୍ରୁତ 40ରନର ପାଳି ଖେଳିଥିବା ବେଳେ ଧୋନି 17ବଲରୁ 20 ରନ କରିଥିଲେ। ଘରୋଇ ଦଳ ପକ୍ଷରୁ ଲୁକି ଫରଗୁସନ୍‌, ଈଶ ଶୋଢ଼ି ଓ ଡାରିଲ ମିଚେଲ୍‌ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ସେହିପରି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱିକି ଅଧିନାୟକ କେନ ୱିଲିଂସନଙ୍କ ସବୁ ଯୋଜନାକୁ ଭଣ୍ଡୁର କରି ଦେଇଥିଲେ ଭାରତୀୟ ବୋଲର । ୱେଲିଂଟନ୍ ଭଳି ବିଶାଳ ରନ୍ କରିବାକୁ ଚେଷ୍ଟା କରୁଥିବା ଘରୋଇ ଦଳ କିନ୍ତୁ ଏଥର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ଗ୍ରାଣ୍ଡହୋମ୍‌ ଅର୍ଦ୍ଧଶତକ ଓ ଅଭିଜ୍ଞ ରସ୍ ଟେଲର୍‌ 42ରନର ପାଳି ଖେଳି ପାରିଥିଲେ।

ସେହିପରି ଭାରତୀୟ ବୋଲିଂ ପାଳିରେ 4 ଓଭରରେ 3ଟି ସଫଳତା ପାଇଥିଲେ କୃଣାଳ ପାଣ୍ଡ୍ୟା । ଅନ୍ୟପଟେ ଖଲ୍ଲୀଲ ଅହମ୍ମଦ 2ଟି ଓ ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ସିରିଜର ଅନ୍ତିମ ମ୍ୟାଚ ରବିବାର ହାମିଲଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବେଳେ ମ୍ୟାଚଟ ବେଶ ସଂଘର୍ଷପୂର୍ଣ୍ଣ ହେବ।

Last Updated : Feb 8, 2019, 9:32 PM IST

For All Latest Updates

ABOUT THE AUTHOR

...view details