ହାଇଦ୍ରାବାଦ:ଦକ୍ଷିଣ ଆଫ୍ରିକା ରବିବାର ଦ୍ବିତୀୟ ଦିନିକିଆରେ ପାକିସ୍ତାନକୁ 17 ରନ୍ରେ ହରାଇ ଦିନିକିଆ ସିରିଜ 1-1ରେ ବରାବର କରିଛି । ପାକିସ୍ତାନ ବ୍ୟାଟ୍ସମ୍ୟାନ ଫଖର ଜମନ 193 ରନର ମାରାଥନ ଇଂନିସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ । 342 ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରୁଥିଲା ପାକିସ୍ତାନ । 155 ବଲ୍ରୁ 18 ଚୌକା ଓ 10 ଛକା ସହାୟତାରେ 193 ରନର ଇଂନିସ ଖେଳି ଦକ୍ଷିଣ ଆଫ୍ରିକା ଶିବିରରେ ନିରାଶ ଖେଳାଇଦେଇଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ ଆଉଟ ହେବାପରେ ପାକିସ୍ତାନର ବିଜୟଆଶା ମଉଳିଯାଇଥିଲା । ତେବେ ଏହି ରନ୍ ଆଉଟକୁ ନେଇ ବିଶ୍ବତମାମ ବିବାଦ ଦେଖାଦେଇଛି ।
ଦକ୍ଷିଣ ଆଫ୍ରିକା କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟୀ ହୋଇଥିଲା ମାତ୍ର ଫଖର ଜମନ କ୍ରିକେଟ ଜଗତର ହୃଦୟ ଜିତିନେଇଥିଲେ । ଏକ ସମୟରେ ପାକିସ୍ତାନର ସ୍କୋର 205-7 ରହିଥିଲା । କିନ୍ତୁ ଏହାପରେ ଜୋହାନ୍ସବର୍ଗରେ ଦେଖିବାକୁ ମିଳିଥିଲା ଫଖର ଶୋ । ଏକାକୀ ଘରୋଇ ଦଳର ବୋଲରଙ୍କୁ ମୁକାବିଲା କରିବା ସହ ପାକିସ୍ତାନକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇଦେଇଥିଲେ । ତେବେ ଅଳ୍ପକେ ଦ୍ବିଶତକରୁ ବଞ୍ଚିତ ହେବାପରେ 324-9ରେ ପାକିସ୍ତାନ ଇଂନିସ ଶେଷ ହୋଇଥିଲା ।
193 ରନର ଇଂନିସ ମଧ୍ୟରେ 30 ବର୍ଷୀୟ ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟ ଇତିହାସରେ ଏକାଧିକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଲକ୍ଷ୍ୟକୁ ପିଛା କରି ସର୍ବାଧିକ ରନର ଇଂନିସ ଖେଳିଥିବାର ରେକର୍ଡ ନିଜ ନାମରେ କରିଥିଲେ ଫଖର । ପୂର୍ବରୁ ଏହି ରେକର୍ଡ, ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେନ ୱାଟସନଙ୍କ ନାମରେ ରହିଥିଲା । ବର୍ଷ 2011ରେ ବାଂଲାଦେଶ ବିପକ୍ଷରେ 185 ରନର ଇଂନିସ ଖେଳିଥିଲେ ୱାଟସନ ।