ନୂଆଦିଲ୍ଲୀ: ଚଳିତ ବର୍ଷ ଯଦି ଆଇପିଏଲ ନହୁଏ ତେବେ ବିସିସିଆଇର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିବ ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ କହିଛନ୍ତି ଯେ ବିସିସିଆଇକୁ ପ୍ରାୟ 4000 କୋଟି ଟଙ୍କାର ଅପୂରଣୀୟ କ୍ଷତି ସହିବାକୁ ପଡିବ। କୋଭିଡ-19 ମହାମାରୀ ହେତୁ ଆଇପିଏଲର 13ତମ ସଂସ୍କରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଛି ।
ଆଇପିଏଲ 2020 ଚଳିତ ବର୍ଷ ମାର୍ଚ୍ଚ 29ରେ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଭାରତ ସରକାର ବିଦେଶ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ଏପ୍ରିଲ ପ୍ରଯ୍ୟନ୍ତ ବାତିଲ କରାଗଲା । କିନ୍ତୁ ଯେତେବେଳେ ଭାରତରେ ଲକଡାଉନ ଘୋଷଣା କରାଗଲା ସ୍ଥିତି ଆହୁରି ଗମ୍ଭୀର ହୋଇଗଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳିତ ବର୍ଷର ଆଇପିଏଲକୁ ସ୍ଥଗିତ ରଖିବା ଛଡା ବିସିସିଆଇ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ।
“ଆମକୁ ଆମର ଆର୍ଥିକ ସ୍ଥିତିର ସମୀକ୍ଷା କରିବାକୁ ପଡିବ, ଆମ ପାଖରେ କେତେ ଟଙ୍କା ଅଛି ଏବଂ ତାକୁ ନେଇ ନିଷ୍ପତ୍ତି ନେବାକୁ ପଡିବ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଆୟୋଜନ ନକରିବା 4000 କୋଟି ଟଙ୍କା କ୍ଷତି ହେବ, ଆଉ ଏହା ଏକ ବଡ଼ କ୍ଷତି,’’ ବୋଲି କହିଛନ୍ତି ଗାଙ୍ଗୁଲି ।
ପୂର୍ବତନ ଭାରତୀୟ ଓପନର୍ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଯଦି ଚଳିତ ବର୍ଷ ଆଇପିଏଲ୍ ନହୁଏ ତେବେ ବୋର୍ଡକୁ ଦରମା ହ୍ରାସ କରିବାକୁ ପଡିବ।