ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର ଶକ୍ତି ବଢାଇବେ ରିଲାଏନ୍ସ ଫାଉଣ୍ଡେସନ ଅକ୍ଷକ୍ଷା ନୀତା ଅମ୍ବାନୀ । ରବିବାର ଏନେଇ ସେ ପ୍ରଥମ ପଦକ୍ଷେପ ମଧ୍ୟ ନେଇଛନ୍ତି । ରିଲାଏନ୍ସ ଫାଉଣ୍ଡେସନ ଏଜୁକେସନ ଓ ସ୍ପୋର୍ଟ୍ସ ଫର ଅଲ୍(RF ESA) ଆଗାମୀ ମହିଳା ଟି-20 ଚ୍ୟାଲେଞ୍ଜର ମୁଖ୍ୟ ପ୍ରାୟୋଜକ ହୋଇଛି ।
ମହିଳା କ୍ରିକେଟରଙ୍କ ପାଇଁ ନବିମୁମ୍ବାଇର ଜିଓ କ୍ରିକେଟ ଷ୍ଟାଡିୟମରେ ସମସ୍ତ କ୍ରିକେଟ ସୁବିଧା ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ବର୍ଷ ତମାମ ଏହି ଷ୍ଟାଡିୟମରେ ଟ୍ରାଏଲ, କ୍ୟାମ୍ପ ଓ ପ୍ରତିଯୋଗିତା ମୂଳକ ମ୍ୟାଚର ଆୟୋଜନ ହେବ । ଜାତୀୟ ମହିଳା ଟିମ ପାଇଁ ବିନା କୌଣସି ଦେୟରେ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ନୀତା ଅମ୍ବାନୀ ।
"ମହିଳା ଟି-20 ଚ୍ୟାଲେଞ୍ଜର ଆୟୋଜନ କରିଥିବାରୁ ବିସିସିଆଇକୁ କୃତଜ୍ଞତା । ଭାରତରେ ମହିଳା କ୍ରିକେଟକୁ ସକରାତ୍ମକ ଢଙ୍ଗରେ ଉନ୍ନତି ଦିଗରେ ନେବାପାଇଁ ଏହା ଏକ ପ୍ରଗତିଶୀଳ ପଦକ୍ଷେପ । ଏହି ଚମତ୍କାର ପଦକ୍ଷେପର ସହଯୋଗୀ ହୋଇପାରିଥିବାରୁ ଖୁସି । ସମସ୍ତ ମହିଳା କ୍ରୀଡାବିତଙ୍କ ପ୍ରତିଭା ଉପରେ ଭରଷା ଓ ବିଶ୍ବାସ ରହିଛି ।" ଏହା କହିଛନ୍ତି ନୀତା ଅମ୍ବାନୀ ।