ନୂଆଦିଲ୍ଲୀ: ଚୁଡାନ୍ତ ହୋଇସାରିଛି ବିସିସିଆଇର ନୂଆ ଟିମ । ଆସନ୍ତା 23 ତାରିଖରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅଧିକାରୀ ଦଳ । ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଚୟନ ହୋଇଛନ୍ତି ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେହିପରି ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା, ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ଆଇପିଏଲ ଅଧକ୍ଷ ପଦ ପାଇଁ ବ୍ରିଜେଶ ପଟେଲ ।
ବିସିସିଆଇର ନୂଆ ଦଳ-
ସଭାପତି | ସୌରଭ ଗାଙ୍ଗୁଲି |
ସମ୍ପାଦକ | ଜୟ ଶାହା |
ଯୁଗ୍ମ ସମ୍ପାଦକ | ଜୟେଶ ଜର୍ଜ |
କୋଷାଧ୍ୟକ୍ଷ | ଅରୁଣ ଧୁମାଲ |
ଆଇପିଏଲ ଅଧକ୍ଷ | ବ୍ରିଜେଶ ପଟେଲ |
ତେବେ ଗତକାଲି(ସୋମବାର) ଅପରାହ୍ନ 3ଟା ଏମାନେ ନାମଙ୍କନ ପତ୍ର ଭରିଛନ୍ତି। ଆସନ୍ତା 23 ତାରିଖରେ କମିଟି ଅଫ ଆଡମିନିଷ୍ଟ୍ରେସନ (ସିଓଏ)ର ଚୂଡାନ୍ତ ବୈଠକ ବସିବା ପରେ ଆନୁଷ୍ଠାନିକ ଭାବେ ଏମାନଙ୍କ ନାମ ପ୍ରକାଶ ପାଇବ । ଏହା ପରେ ନୂଆ ସଭାପତି ଦାୟିତ୍ବ ନେବେ ଦାଦା । ତେବେ ଦାଦା 2ୟ ଭାରତୀୟ ଅଧିନାୟକ ଭାବେ ବିସିସିଆଇର ସଭାପତି ପଦ ଅଳଙ୍କୃତ କରିବେ । ତାଙ୍କ ପୂର୍ବରୁ ବିଜୟନଗରମର ମହାରାଜ କୁମାର ପ୍ରଥମ ଭାରତୀୟ ଅଧିନାୟକ ଭାବେ 1954 ମସିହାରେ ଏହି ପଦରେ ବସିଥିଲେ । ସେହିପରି 2014ରେ ଅନ୍ୟତମ ଭାରତୀୟ ଅଧିନାୟକ ତଥା ସୁନୀଲ ଗାଭାସ୍କର ଅନ୍ତରୀଣ ସଭାପତି ପଦରେ ରହିଥିଲେ ।
ତେବେ ବିସିସିଆଇର ସଭାପତି ପଦରେ ବସିବା ପରେ ଦାଦା ସଭାପତିର ଦ୍ବିମୁକୁଟ ପିନ୍ଧିବେ । କାରଣ ଚଳିତ ବର୍ଷ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବଚିତ ହୋଇଛନ୍ତି ଗାଙ୍ଗୁଲି । ସେହିପରି 2015ରେ ସେ ସିଏବି ସଭାପତି ରହିସାରିଛନ୍ତି । ଫଳରେ ପ୍ରଶାସନିକ ଦିଗରେ ତାଙ୍କର ଅଭିଜ୍ଞତା ଅଧିକ ରହିଛି । ଅନ୍ୟପଟେ ଲୋଧା କମିଟର କଟକଣା ପାଇଁ ଗାଙ୍ଗୁଲି ମାତ୍ର 10 ମାସ ଦାୟିତ୍ବରେ ରହିବେ ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତେବେ ଆସନ୍ତା 23 ତାରିଖରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ପାଇଁ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେଣୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବେ । ଅନ୍ୟପଟେ ଅକ୍ଟୋବର 14 ଅର୍ଥାତ୍ ସୋମବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ । ଅନ୍ୟପଟେ ଗାଙ୍ଗୁଲିଙ୍କୁ ସଭାପତି କରାଯିବା ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ରବିବାର ଏକ ପଞ୍ଚତାରକା ହୋଟେଲରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ବୈଠକ ବସିଥିଲା । ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ଏନ୍ ଶ୍ରୀନିବାସନ୍ ସାମ୍ନାସାମ୍ନି ଥିଲେ । ବୈଠକରେ ଅଧ୍ୟକ୍ଷ ପଦକୁ ନେଇ ଅନେକ ତର୍କବିତର୍କ ଚାଲିଥିଲା । ଅଧ୍ୟକ୍ଷ ପଦ ପାଇଁ ଗୋଟିଏ ପଟେ ଶ୍ରୀନିବାସନଙ୍କ ସମର୍ଥନ ପ୍ରାପ୍ତ ପୂର୍ବତନ କ୍ରିକେଟର୍ ବ୍ରିଜେଶ ପଟେଲ୍ ଥିବା ବେଳେ ଅନ୍ୟପଟେ ଗାଙ୍ଗୁଲିଙ୍କ ନାମ ଅନୁରାଗ ଠାକୁର ସୁପାରିସ୍ କରିଥିଲେ । ତେବେ ଶେଷରେ ବ୍ରିଜେଶଙ୍କୁ ଆଇପିଏଲ୍ ଚେୟାରମ୍ୟାନ୍ କରିବା ନେଇ ନିଷ୍ପତ୍ତି ହୋଇଥିଲା ।
ମିଳିଥାବା ଖବର ଅନୁଯାଇ, ଶନିବାର ଶ୍ରୀନିବାସନ୍ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରି ବ୍ରିଜେଶ୍ ପଟେଲଙ୍କ ନାଁ ସୁପାରିସ କରିଥିଲେ । ଅନ୍ୟପଟେ ଗାଙ୍ଗୁଲି ମଧ୍ୟ ଅମିତ୍ ଶାହଙ୍କୁ ସାକ୍ଷାତ କରି ବିସିସିଆଇର ବସ୍ ହେବା ନେଇ ନିଜର ଇଚ୍ଛା ଜାହିର୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ