ଓଡିଶା

odisha

ETV Bharat / sports

‘ସେପରି ବ୍ୟାଟିଂ କରୁଥିବା ଖେଳାଳି ଦେଖିନଥିଲି’ - 123 ବଲରେ ଏମଏସ ଧୋନିଙ୍କ 148 ରନ

2005ରେ ଭାଇଜାଗ ଠାରେ ପାକିସ୍ତାନ ବିପକ୍ଷରେ ଧୋନିଙ୍କ 148 ରନର ଇନିଂସକୁ ମନେ ପକାଇଛନ୍ତି ପୂର୍ବତନ ଖେଳାଳି ମହମ୍ମଦ କୈଫ । କହିଲେ ଏମିତି ବ୍ୟାଟିଂ କରୁଥିବା କାହାକୁ ଦେଖି ନଥିଲି । ଅଧିକ ପଢ଼ନ୍ତୁ...

Mohammad kaif, MS Dhoni's 148 run knock against Pakistan, MS Dhoni in Vizag in 2005, ସେପରି ବ୍ୟାଟିଂ କରୁଥିବା ଖେଳାଳି ଦେଖିନଥିଲି, ମହମ୍ମଦ କୈଫ, 123 ବଲରେ ଏମଏସ ଧୋନିଙ୍କ 148 ରନ, ଭାରତ ବନାମ ପାକିସ୍ତାନ
‘ସେପରି ବ୍ୟାଟିଂ କରୁଥିବା ଖେଳାଳି ଦେଖିନଥିଲି’

By

Published : May 21, 2020, 10:31 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଗୁରୁବାର ବିଶାଖାପଟ୍ଟନମରେ ପାକିସ୍ତାନ ବିପକ୍ଷରେ 123 ବଲରେ ଏମଏସ ଧୋନିଙ୍କ 148 ରନର ଇନିଂସକୁ ମନେ ପକାଇଛନ୍ତି । ଧୋନି ସେତେବେଳେ ଭାରତୀୟ ଟିମକୁ ନୂଆ କରି ଆସିଥିଲେ । ଆଉ ସେତେବେଳକୁ ମାତ୍ର 4ଟି ଦିନିକିଆ ମ୍ୟାଚ ଖେଳିଥିଲେ । ତାଙ୍କ କ୍ୟାରିୟରର ଆରମ୍ଭ ସେତାଟା ଭଲ ନଥିଲା । ସେ ନିଜର ଡେବ୍ୟୁ ମ୍ୟାଚର ପ୍ରଥମ ବଲରେ ହିଁ ରନ ଆଉଟ ହୋଇ ଯାଇଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ସେହି ଇନିଂସ ଟିମରେ ତାଙ୍କ ସ୍ଥାନ ପକ୍କା କରି ଦେଲା ଓ ଭାରତୀୟ କ୍ରିକେଟ ଧୋନିଙ୍କ ଭଳି ଜଣେ ଉଦୀୟମାନ ତାରକାଙ୍କୁ ପାଇଥିଲା ।

ଏକ ଚାଟ ସୋରେ କୈଫ କହିଛନ୍ତି ଯେ, “ମୁଁ ଦେଓଧର ଟ୍ରଫିରେ ସେଣ୍ଟ୍ରାଲ ଜୋନର ଅଧିନାୟକ ଥିବାବେଳେ ଧୋନିଙ୍କୁ ଖେଳୁଥିବାର ଦେଖିଥିଲି, ଅନ୍ତର୍ଜାତୀୟ ଡେବ୍ୟୁ କରିବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ସେ ଇଷ୍ଟ ଜୋନ ପାଇଁ ଖେଳୁଥିଲେ । ଆମେ ପ୍ରାୟ 360 କରିସାରିଥିଲୁ ଏବଂ ସେ 3 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆମେ ତାଙ୍କୁ ବୋଲିଂ ଆଟାକ କରିବାକୁ ଭାବିଥିଲୁ । କିନ୍ତୁ ସେ ମାତ୍ର 40-50 ବଲରେ 80-85 ରନ କରିଥିଲେ । ସେତେବେଳେ ମୋର ମନେହେଲା ଯେ ଧୋନିଙ୍କ ପାଖରେ ସେହି ଏକ୍ସ-ଫ୍ୟାକ୍ଟର ଏବଂ ଏକ ନିଆରା ଖେଳିବାର ଷ୍ଟାଇଲ ଅଛି ଏହାସହ ସେ ଖେଳକୁ ବହୁତ ଭଲଭାବେ ବୁଝି ପାରନ୍ତି ।”

ସେ ଆହୁରି ମଧ୍ୟ କହିଛନ୍ତି, “କିନ୍ତୁ ଏହାପୂର୍ବରୁ ମୁଁ ଧୋନିଙ୍କ ବିଷୟରେ ପ୍ରଥମେ ଜଣେ ବନ୍ଧୁଙ୍କଠାରୁ ଶୁଣିଥିଲି, ଯିଏ ତାଙ୍କୁ ଟିଭିରେ ଇଣ୍ଡିଆ ଏ ପାଇଁ ଖେଳୁଥିବାର ଦେଖିଥିଲେ । ଗଗଲ୍ସ ପିନ୍ଧି ୱିକେଟ କିପିଙ୍ଗ, ଲମ୍ବା ଚୁଟି ସହ ଏକ୍ସ-ଫ୍ୟାକ୍ଟର ବି ଥିଲା ତାଙ୍କ ପାଖରେ । ତା’ପରେ ଖୁବଶୀଘ୍ର ମୁଁ ତାଙ୍କ ସହିତ ଖେଳିବାର ସୁଯୋଗ ପାଇଲି ।”

ଡିସେମ୍ବର 2004 ରେ ଧୋନି ବାଂଲାଦେଶ ବିପକ୍ଷରେ ଡେବ୍ୟୁ କରିଥିବା ବେଳେ କୈଫ ଦଳର ଅନ୍ୟତମ ଖେଳାଳି ଥିଲେ । ଯେତେବେଳେ ଧୋନି ରନ ଆଉଟ ହୋଇଥିଲେ, କୈଫ ଅନ୍ୟ ପଟେ ଥିଲେ। “ଯେତେବେଳେ ସେ (ଧୋନି) ବାଂଲାଦେଶ ବିପକ୍ଷରେ ଆଉଟ ହୋଇଥିଲେ, ତାଙ୍କ ମ୍ୟାଚ ଫିନିସିଙ୍ଗ ଏବଂ ମ୍ୟାଚ ଜିତିବାର କ୍ଷମତା ବିଷୟରେ କେହି ଜାଣି ନଥିଲେ । ତାଙ୍କର ପ୍ରଥମ ଦୁଇ ତିନି ଇନିଂସ ଏତେ ଭଲ ନଥିଲା, କିନ୍ତୁ ପରେ ସେ ପାକିସ୍ତାନ ବିପକ୍ଷରେ ଭାଇଜାଗରେ ସେହି ସୁଯୋଗ ପାଇଥିଲେ,’’ ବୋଲି କୈଫ କହିଛନ୍ତି ।

“ମୁଁ ସେହି ଇନିଂସକୁ ଅତି ନିକଟରୁ ଦେଖିଲି ଏବଂ ମୁଁ ଅନୁଭବ କଲି ଯେ ଏହି ବ୍ୟକ୍ତି ବହୁତ ଆଗକୁ ଯିବେ । ନିଜ କ୍ୟାରିୟରର ଆରମ୍ଭରେ କେହି ଜଣେ ଏମିତି ଇନିଂସ ଖେଳିପାରେ ବୋଲି ବିଶ୍ବାସ କରିବା କଷ୍ଟ ଥିଲା । ବଲକୁ ମାରିବା ଗୋଟିଏ କଥା ଏବଂ ଶକ୍ତିର ସହ ବଲକୁ ମାରି ଛିଣ୍ଡାଇ ପକାଇବା ଅଲଗା କଥା । ପାକିସ୍ତାନୀ ବୋଲିଂ ଆଟାକକୁ ସେଦିନ ସେ ଖୁବ ପ୍ରହାର କରିଥିଲେ । ମୁଁ ସେ ପର୍ଯ୍ୟନ୍ତ ସେପରି ବ୍ୟାଟିଂ କରୁଥିବା କାହାକୁ ଦେଖିନଥିଲି । ତେଣୁ ତାଙ୍କୁ 3 ନମ୍ବରରେ ବ୍ୟାଟିଂ ପାଇଁ ପଠାଇବା ଏକ ଭଲ ପଦକ୍ଷେପ ଥିଲା,’’ ବୋଲି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ କହିଛନ୍ତି ।

ଭାରତ ତାର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ 58 ରନରେ ପରାସ୍ତ କରିଥିଲା, ଆଉ ଧୋନିଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା । ଦୁଇ ବର୍ଷ ପରେ, ଟି-20 ବିଶ୍ବକପର ଉଦଘାଟନୀ ବେଳେ ତାଙ୍କୁ ଭାରତର ଅଧିନାୟକ ଭାବରେ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ନେତୃତ୍ବାଧୀନ ଟିମ ବିଶ୍ବକପ ଜିତିବାରେ ସଫଳ ହୋଇଥିଲା । ଅଧିନାୟକ ଭାବରେ ଧୋନି 2011 ବିଶ୍ବକପ ଏବଂ 2013 ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଟାଇଟଲ ଜିତାଇବାରେ ସଫଳ ହୋଇଥିଲେ ।

ABOUT THE AUTHOR

...view details