ମୁମ୍ୱାଇ: ଏବେ ମହିଳା କ୍ରିକେଟରଙ୍କର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ହେବା ଉଚିତ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏହା ସବୁଠାରୁ ଉତ୍କୃଷ୍ଟ ସମୟ । ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଏହା ବିଷୟରେ ଚିନ୍ତା କରିବା ଉଚିତ ବୋଲି ଭାରତୀୟ ମହିଳା ଦିନିକିଆ କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ କହିଛନ୍ତି ।
ମିତାଲି କହିଛନ୍ତି ଯେ କିଛି ବର୍ଷ ଆଗରୁ ଲୋକେ ମହିଳା କ୍ରିକେଟରଙ୍କୁ ଚିହ୍ନିନଥିଲେ । ଏହି ଖେଳ ବିଷୟରେ ଜାଣିନଥିଲେ । କିନ୍ତୁ ଗତବର୍ଷ ବିଶ୍ୱକପ ପରେ ଭାରତୀୟ ମହିଳା କ୍ରିକେଟରଙ୍କ ପରିଚୟ ବଦଳି ଯାଇଥିଲା । ଲୋକେ ସେମାନଙ୍କୁ ଭଲ ଭାବେ ଚିହ୍ନିଥିଲେ । ଏପରିକି ଅନେକ ଲୋକ ଜାଣିବାକୁ ଚେଷ୍ଟା କରିଥିଲେ ଯେ ଭାରତୀୟ ମହିଳା ଦଳ କଣ ଏବଂ ଏଥିରେ କିଏ କିଏ ଖେଳୁଛନ୍ତି । ଫଳରେ ବିଶ୍ୱ କ୍ରିକେଟରେ ଏମାନଙ୍କର ଏକ ନୂଆ ପରିଚୟ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି ।