ହାଇଦ୍ରାବାଦ: ଚଳିତ ବିଶ୍ବକପରେ ମ୍ୟାନ ଇନ ବ୍ଲୁ ବା ଭାରତୀୟ ଟିମକୁ କେତୋଟି ମ୍ୟାଚରେ ନାରଙ୍ଗୀ ରଙ୍ଗର ଜର୍ସିରେ ଦେଖିବାକୁ ମିଳିବ । ଶନିବାର ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟଚ ଓ 30 ତାରିଖରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ ନାରଙ୍ଗୀ ରଙ୍ଗ ଜର୍ସିରେ ଦେଖିବାକୁ ମିଳିପାରେ । ସେପଟେ ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ନୂଆ ଜର୍ସି ନେଇ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ଜୋରଦାର ।
ଟିମ ଇଣ୍ଡିଆର କ୍ରିକେଟ କିଟ ପ୍ରୋୟୋଜକ NIKE ଏନେଇ କୌଣସି ତଥ୍ୟ ଦେଇନଥିଲେ ମଧ୍ୟ ମିଳିଥିବା ସୂଚନା ଅନୁସାରେ ଭାରତୀୟ ଟିମର ନୂଆ ଜର୍ସି ନାରଙ୍ଗୀ ରଙ୍ଗର ହେବା ସହ କୋଲରରେ ନୀଳ ରଙ୍ଗର ଗାର ବା ଷ୍ଟ୍ରିପ ରହିବ । ଫୁଟବଲରେ ହେଉଥିବା ‘ହୋମ’ ଓ ‘ଆୱେ’ ବ୍ୟବହାରରୁ ପ୍ରେରଣା ନେଇ ଆଇସିସି ଏପରି ପଦକ୍ଷେପ ନେଇଛି । ସମାନ ରଙ୍ଗର ଜର୍ସି ଥିବା ଦୁଇଟି ଟିମର ମ୍ୟାଚ ବେଳେ ଏପରି ଜର୍ସି ବଦଳର ନିୟମ କରିଛି ଆଇସିସି । କେବଳ ଆୟୋଜକ ଟିମ ଇଂଲଣ୍ଡ ହିଁ ନିଜ ଜର୍ସିରେ ରହିପାରିବ । ଅନ୍ୟ ସମସ୍ତ ଦେଶ ନିଜ ଜର୍ସି ବଦଳାଇ ଭିନ୍ନ ରଙ୍ଗ ଜର୍ସି ପିନ୍ଧିବେ ।