ETV Bharat Odisha

ଓଡିଶା

odisha

ETV Bharat / sports

ଅତି ଭୟାବହ ଥିଲା ଲାହୋର ଷ୍ଟାଡିୟମ ଆକ୍ରମଣ: ସାଙ୍ଗାକାରା - ଭୟାବହ ଥିଲା ଲାହୋର ଷ୍ଟାଡିୟମ ଆକ୍ରମଣ

୨୦୦୯ ଆତଙ୍କୀ ଆକ୍ରମଣ ଘଟଣାକୁ ମନେ ପକାଇ ଭାବବିହ୍ବଳ ହେଲେ କୁମାର ସାଙ୍ଗାକାରା । କହିଲେ ସେ ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର । ଅଧିକ ପଢ଼ନ୍ତୁ...

Kumara Sangakara, attack on team bus  in Lahore, srilanka cricket team, ୨୦୦୯ ଆତଙ୍କୀ ଆକ୍ରମଣ ଘଟଣା, ଭୟାବହ ଥିଲା ଲାହୋର ଷ୍ଟାଡିୟମ ଆକ୍ରମଣ, କୁମାର ସାଙ୍ଗାକାରା
ଅତି ଭୟାବହ ଥିଲା ଲାହୋର ଷ୍ଟାଡିୟମ ଆକ୍ରମଣ: ସାଙ୍ଗାକାରା
author img

By

Published : Jun 4, 2020, 7:33 PM IST

କଲମ୍ବୋ: ୨୦୦୯ରେ ପାକିସ୍ତାନର ଲାହୋର ଷ୍ଟାଡିୟମ୍ ଆକ୍ରମଣ ଘଟଣାକୁ ଏଗାର ବର୍ଷ ବିତି ଯାଇଛି ସତ, କିନ୍ତୁ ସେ ଦିନର ଘଟଣାକୁ ମନେ ପକାଇ ପୁଣି ଥରେ ଭାବବିହ୍ବଳ ହୋଇ ପଡିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ।

ଭ୍ରମଣକାରୀ ଦଳ ଶ୍ରୀଲଙ୍କା ଦ୍ଵିତୀୟ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନ ଶେଷ ସୁଦ୍ଧା ୬୦୬ ରନରେ ପାଳି ସମାପ୍ତି ଘୋଷଣା ପରେ ପାକିସ୍ତାନ ଏକ ୱିକେଟ ବିନିମୟରେ ୧୧୦ ରନ ସ୍କୋର କରି ଥିଲା । ଘଟଣା ତୃତୀୟ ଦିନ ଖେଳ ଆରମ୍ଭ ସମୟ, ଯେତେବେଳେ ସମସ୍ତ ଶ୍ରୀଲଙ୍କା ଖେଳାଳି ଦଳୀୟ ବସରୁ ବାହାରି ଗଦ୍ଦାଫି ଷ୍ଟାଡିୟମ୍ ଅଭିମୁଖେ ଯାଉଥିଲେ । ପାଖାପାଖି ୧୨ ଜଣ ଦୁର୍ବୃତ୍ତ ହଠାତ ଖେଳାଳି ମାନଙ୍କ ଉପରେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ ଏବଂ ଆକ୍ରମଣରେ ଏକାଧିକ ଶ୍ରୀଲଙ୍କା ଖେଳାଳି ଆହତ ହୋଇଥିଲେ।

ଘଟଣାକୁ ଏକ ଦଶନ୍ଧି ବିତି ଯାଇଥିଲେ ହେଁ, ସେ ଘଟଣାର ଛାପ ଆଜି ପର୍ଯ୍ୟନ୍ତ ଶ୍ରୀଲଙ୍କା ଖେଳାଳିଙ୍କ ମନରୁ ଲିଭି ନାହିଁ । ଏକ ସାକ୍ଷାତକାରରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ୱିକେଟ କିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ଏହି ଘଟଣାର ବୃତ୍ତାନ୍ତକୁ ପୁନର୍ବାର ବର୍ଣ୍ଣନା କରି ଭାବବିହ୍ବଳ ହୋଇ ଯାଇଛନ୍ତି ।

‘‘ପାକିସ୍ତାନ ଯିବା ସମୟରେ ଆମେ ସୁରକ୍ଷା ପ୍ରସଙ୍ଗକୁ ନେଇ ବହୁତ ଚିନ୍ତିତ ଥିଲୁ କିନ୍ତୁ ପର ମୁହୂର୍ତ୍ତରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଆମକୁ ଆଶ୍ବାସନା ମିଳିଥିଲା ଏବଂ ଆମେ ପାକିସ୍ତାନ ଯିବାକୁ ରାଜି ହୋଇଥିଲୁ,’’ ବୋଲି ସାଙ୍ଗାକାରା କହିଛନ୍ତି ।

‘‘ବସରେ ବସି ଯିବା ସମୟରେ ଆମ ଖେଳାଳି ମାନେ ପରସ୍ପର ସହିତ ଥଟ୍ଟା ମଜା କରିବାରେ ବ୍ୟସ୍ତ ଥିଲେ । ଦଳର ସମସ୍ତ ବୋଲର ନିଜର ପ୍ରଦର୍ଶନ ଆଶାନୁରୂପ କରିବାର ଯୋଜନା କରୁଥିଲେ କାରଣ ଆମ ଦଳ ପ୍ରଥମ ଇନିଂସ ବ୍ୟାଟିଂ ପରେ ଏକ ମଜଭୁତ ସ୍ଥିତିରେ ଥିଲା ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ହଠାତ ବାହାରୁ ଗୁଳିର ଶବ୍ଦ ଶୁଣାଗଲା କିନ୍ତୁ ସେ ସମୟରେ ଆମକୁ ଲାଗିଲା ବୋଧହୁଏ ଲୋକ ମାନେ ବାଣ ଫୁଟାଉଛନ୍ତି । କିଛି କ୍ଷଣ ପରେ ଆମ ଦଳର ଜଣେ ସଦସ୍ୟ କହିଲେ ଯେ କିଛି ଦୁର୍ବୃତ୍ତ ଆମ ବସ ଉପରକୁ ଗୁଳି ଚାଳନା କରୁଛନ୍ତି । ଆମେ ଭୟରେ ନିଜ ନିଜ ସିଟରୁ ଉଠି ଠିଆ ହୋଇଗଲୁ । ମୋର ଏବେ ବି ସେହି ଦୃଶ୍ୟ ମନେ ପଡିଯାଉଛି। ଦିଲଶାନ ଆଗରେ ଠିଆ ହୋଇଥିଲେ, ମୁଁ ମଝିରେ ଥିଲି ଏବଂ ମୋ ପାଖାପାଖି ଜୟବର୍ଦ୍ଧନେ ଏବଂ ମୁରଲୀଧରନ ଛିଡ଼ା ହୋଇଥିଲେ। କିନ୍ତୁ ସବୁଠୁ ଆଗରେ ଆମ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଥରଙ୍ଗା ପରାନଭିତନା ଥିଲେ ଏବଂ ତାଙ୍କ ଦେହରେ ଗୁଳି ବାଜି ଥିଲା।’’

‘‘ଚତୁର୍ଦ୍ଦିଗରୁ ରକେଟ ଲଞ୍ଚର ଓ ଗ୍ରେନଡର ବର୍ଷା ହେଉଥାଏ। ବସ ଉପରେ ଲଗାତାର ହେଉଥାଏ ଗୁଳି ଚାଳନା । କିଛି ସମୟ ପରେ ଆକ୍ରମଣ ବନ୍ଦ ହୋଇ ଯାଇଥିଲା କିନ୍ତୁ ଥିଲନ୍, ମେଣ୍ଡିସ୍ ଏହି ଆକ୍ରମଣର ଶିକାର ହୋଇ ଥିଲେ। ଥରଙ୍ଗା ଗୁରୁତର ଭାବେ ଆହତ ହୋଇପଡିଥିଲେ କାରଣ ଗୁଳି ତାଙ୍କ ଡାହାଣ ପଟ ଛାତିରେ ବାଜି ଥିଲା।’’

କଡ଼ା ସୁରକ୍ଷା ବଳୟ ସହିତ ଆମେ ମାନେ ଷ୍ଟାଡିୟମର ଡ୍ରେସିଂ ରୁମକୁ ଯାଇଥିଲୁ, ଯାହା ଘଟଣାସ୍ଥଳ ଠାରୁ ପାଖାପାଖି ୫୦୦ ମିଟର ଦୂରରେ ଥିଲା । କିନ୍ତୁ ଦୁଃଖର ବିଷୟ ଏହା ଥିଲା ଯେ ଆମ ମାନଙ୍କୁ ସୁରକ୍ଷା ଦେଉଥିବା ସୁରକ୍ଷାକର୍ମୀ ମାନେ ମଧ୍ୟ ଆତତାୟୀଙ୍କ ଗୁଳିର ଶିକାର ହୋଇଥିଲେ।’’

‘‘ଆତତାୟୀ ମାନେ ଆମ ବସ ଡ୍ରାଇଭରଙ୍କ ଆଡ଼କୁ ବାରମ୍ବାର ଗୁଳି ଚଳାଇ ଚାଲିଥିଲେ କିନ୍ତୁ ତାଙ୍କର କିଛି କ୍ଷତି ହୋଇ ପାରି ନଥିଲା। ସେ ହିଁ ପ୍ରକୃତ ହିରୋ ଥିଲେ। କାରଣ ତାଙ୍କରି ପାଇଁ ହିଁ ଆମେ ରକ୍ଷା ପାଇ ଯାଇଥିଲୁ। ସବୁଦିନ ସେ ଆମକୁ ଷ୍ଟାଡିୟମ ଗେଟ ପାଖରେ ନେଇ ଛାଡନ୍ତି କିନ୍ତୁ ସେଦିନ ଆମ ମାନଙ୍କୁ ନେଇ ଡ୍ରେସିଂ ରୁମ ଗେଟ ପାଖରେ ଛାଡ଼ିଥିଲେ,’’ ବୋଲି ସାଙ୍ଗାକାରା କହିଛନ୍ତି ।

‘‘ପରେ ମୁଁ ଥରଙ୍ଗା ଆଉ ମେଣ୍ଡିସଙ୍କୁ ନେଇ ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସରେ ବସିଥିଲି କିନ୍ତୁ ଆମ ଆମ୍ବୁଲାନ୍ସ ଗାଡି ଉପରକୁ ମଧ୍ୟ ଆତତାୟୀ ମାନେ ଗୁଳି ବର୍ଷଣ କରିଥିଲେ।

ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେ ଘଟଣାର ହୃଦୟ ବିଦାରକ ଦୃଶ୍ୟ ଆଜି ବି ମୋ ମନରେ ରହି ଯାଇଛି,’’ ବୋଲି ଏହି ବାମହତି ବ୍ୟାଟ୍ସମ୍ୟାନ କହିଛନ୍ତି।

ABOUT THE AUTHOR

...view details