ବିଶାଖାପଟନମ: ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆରେ ହ୍ୟାଟ୍ରିକ ନେବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ ହୋଇଛନ୍ତି କୁଲଦୀପ ଯାଦବ । ବୁଧବାର କୁଲଦୀପ ନିଜର ପ୍ରଥମ ଶିକାର କରିଥିଲେ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଶାଇ ହୋପଙ୍କୁ । ପରେ ଜେସନ ହୋଲ୍ଡର ଓ ଶେଷର ଫାଷ୍ଟ ବୋଲର ଅଲଜାରି ଜୋଶେଫଙ୍କୁ ଆଉଟ କରି ଏହି ଖାସ ରେକର୍ଡ କରିଛନ୍ତି ।
ଭାରତୀୟ ବୋଲରଙ୍କ ପାଇଁ ଏହା ଦିନିକିଆରେ 5ମ ହ୍ୟାଟ୍ରିକ । ଭାରତ ପାଇଁ ସର୍ବପ୍ରଥମ ହ୍ୟାଟ୍ରିକ ନେଇଥିଲେ ଚେତନ ଶର୍ମା, ଏହାପରେ କପିଲ ଦେବ ଓ ମହମ୍ମଦ ସାମି । ଚତୁର୍ଥ ଓ ପଞ୍ଚମ ହ୍ୟାଟ୍ରିକ କୁଲଦୀପ ଯାଦବଙ୍କ ନାଁରେ ରହିଛି । ହରଭଜନ ସିଂ ଓ ଇରଫାନ ପଠାନ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ।
10 ଓଭରରେ 52 ରନ ଦେଇ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ଏହି 25 ବର୍ଷୀୟ ବୋଲର । ଦିନିକିଆରେ ଦୁଇ ବା ତଦୁର୍ଦ୍ଧ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ନିଜ ନାଁ ମଧ୍ୟ ସାମିଲ କରିଛନ୍ତି ଚାଇନା ମ୍ୟାନ । ଶ୍ରୀଲଙ୍କା ବୋଲର ଲସିଥ ମାଲିଙ୍ଗା ହେଉଛନ୍ତି ଏକ ମାତ୍ର ବୋଲର ଯାହାଙ୍କ ନାଁରେ 3ଟି ହ୍ୟାଟ୍ରିକ ନେବାର ରେକର୍ଡ ରହିଛି । ୱସିମ ଅକ୍ରମ, ସାକଲିନ ମୁସ୍ତାକ, ଚାମିଣ୍ଡା ଭାସ ଓ ଟ୍ରେଣ୍ଟ ବୋଲ୍ଟଙ୍କ ନାଁରେ ମଧ୍ୟ ଦୁଇଟି ଲେଖାଏଁ ଦିନିକିଆ ହ୍ୟାଟ୍ରିକ ନେବାର ରେକର୍ଡ ରହିଛି ।