ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ସିବରାମକିଷ୍ଣନ ଭାରତୀୟ ଦଳ ସହ ତାଙ୍କ ସମୟ ବିଷୟରେ କହିଥିଲେ ଏବଂ ଅଧିନାୟକ ଭାବରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ଜଣାଇଥିଲେ । ଏହାସହ ବର୍ତ୍ତମାନର ଭାରତୀୟ ସ୍ପିନର ଚାଇନା ମ୍ୟାନ କୁଲଦୀପ ଯାଦବଙ୍କୁ ମଧ୍ୟ ଦେଇଥିଲେ କିଛି ଟିପ୍ସ ।
ସେ କହିଥିଲେ ଯେ କପିଲ ଜଣେ ସ୍ବତଃପ୍ରବୃତ୍ତ ଅଧିନାୟକ ଥିବାବେଳେ ଗାଭାସ୍କର ପୂର୍ବରୁ ସବୁ ଯୋଜନା କରୁଥିଲେ।
ସିବରାମକ୍ରିଷ୍ଣନ୍ ଡବ୍ଲୁଭି ରମଣଙ୍କୁ କହିଛନ୍ତି, ‘‘ମୁଁ ସବୁବେଳେ ଗାଭାସ୍କରଙ୍କ ଅଧୀନରେ ଭଲ ପ୍ରଦର୍ଶନ କରିଥିଲି କିନ୍ତୁ କପିଲ ଦେବଙ୍କ ଅଧୀନରେ ସେତେଟା ଭଲ ନୁହେଁ। କପିଲ ଜଣେ ସ୍ବତଃ ପ୍ରବୃତ୍ତ ଅଧିନାୟକ ଥିବାବେଳେ ଗାଭାସ୍କର ଏମିତି ଜଣେ ଅଧିନାୟକ ଥିଲେ ଯିଏ ସମସ୍ତ ଜିନିଷ ପୂର୍ବରୁ ଯୋଜନା କରୁଥିଲେ।’’
‘‘ମୁଁ ଭାବୁଛି ଭାରତ ଆଜି ପର୍ଯ୍ୟନ୍ତ ଉତ୍ପାଦନ କରିଥିବା ସର୍ବଶ୍ରେଷ୍ଠ କ୍ରୀଡାବିତ ହେଉଛନ୍ତି କପିଲ ଦେବ କାରଣ ସେ କେବଳ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ କ୍ରିକେଟ୍ ଖେଳି ନାହାଁନ୍ତି ବରଂ ଅନ୍ୟାନ୍ୟ ଖେଳ ମଧ୍ୟ ଖେଳିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଯେ ଲେଗ ସ୍ପିନର କିମ୍ବା କୌଣସି ସ୍ପିନରଙ୍କ ବିକାଶରେ ଅଧିନାୟକତ୍ବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।