ହାଇଦ୍ରାବାଦ:ଭାରତୀୟ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବେ ବେଶ ଚର୍ଚ୍ଚାରେ । ତେବେ ଏଥର ବୋଲିଂ ପାଇଁ ନୁହେଁ ବରଂ ନିଜର ବିବାହ ପାଇଁ । ନିଜର ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର, ଏବେ ଜଣେ ଜଣାଶୁଣା ମଡେଲରୁ କ୍ରୀଡା ଉପସ୍ଥାପିକା ପାଲଟିଥିବା ସଞ୍ଜନା ଗାନେସନଙ୍କ ପ୍ରେମରେ କ୍ଳିନବୋଲ୍ଡ ।
ଖୁବଶୀଘ୍ର ହାତକୁ ହି ହାତ ମଧ୍ୟ ହେବାକୁ ଯାଉଛନ୍ତି ବୁମରା । ଚଳିତ ମାସ 14-15 ତାରିଖରେ ଗୋଆର ଏକ ଗୋପନୀୟ ସ୍ଥାନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ସୂଚନା ରହିଛି ।
ବୁମରା ପୂର୍ବରୁ ବିସିସିଆଇକୁ ବ୍ୟକ୍ତଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟରୁ ତଥା ସ୍କ୍ବାଡରୁ ରିଲିଜ କରିବାକୁ ଅନୁରୋଧ କରିଥିଲେ । ବୁମରାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଅନୁରୋଧ ରକ୍ଷା କରି ବିସିସିଆଇ ସ୍କ୍ବାଡରୁ ରିଲିଜ କରିଥିଲା । ଏହାପରେ ଜଣେ ବିସିସିଆଇ ଅଧିକାରୀ ବୁମରା ବିବାହ ପ୍ରସ୍ତୁତି ପାଇଁ ବିରତି ନେଇଥିବା ଖୁଲାସା କରିବା ପରେ ରହସ୍ୟ ସାମ୍ନାକୁ ଆସିଥିଲା ।
ସୂଚନା ଅନୁଯାୟୀ, ବିବାହ ଉତ୍ସବରେ ମାତ୍ର 20ଜଣ ଅତିଥି ସାମିଲ ହେବେ । ଚଳିତ ସପ୍ତାହରେ ବିବାହ ପାଇଁ ସ୍ଥିର ହୋଇଥିବା ସ୍ଥାନରେ ପହଞ୍ଚିବେ । ଉଭୟ ବୁମରା ଓ ସଞ୍ଜନା ସେମାନଙ୍କର ବିବାହକୁ ଉତ୍ସବକୁ ସ୍ବତନ୍ତ୍ର ଓ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବା ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି, ଯାହାଦ୍ବାରା ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ସାଙ୍ଗରେ ଫୋନ୍ ନେବାକୁ ବାରଣ କରାଯାଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ