ଦୁବାଇ:ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ଏବଂ ଇଂଲଣ୍ଡର ବେନ ଷ୍ଟୋକ୍ସ ସଦ୍ୟତମ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ କ୍ୟାରିୟରର ସର୍ବୋଚ୍ଚ ସ୍ଥାନ ଲାଭ କରିଛନ୍ତି । ସାଉଥମ୍ପଟନରେ ଇଂଲଣ୍ଡକୁ ଓ୍ବେଷ୍ଟଇଣ୍ଡିଜ୍ 4 ୱିକେଟରେ ହରାଇବା ପରେ ହୋଲ୍ଡର 20 ବର୍ଷ ମଧ୍ୟରେ କୌଣସି ଇଣ୍ଡିଜ ବୋଲରଙ୍କ ଦ୍ବାରା ହାସଲ କରାଯାଇଥିବା ସର୍ବାଧିକ ପଏଣ୍ଟ ପାଇ ଟେଷ୍ଟ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ।
ପ୍ରଥମ ଇନିଂସରେ 42ରେ 6ଟି ଓ୍ବିକେଟ ଏବଂ ଦ୍ବିତୀୟ ଇନିଂସରେ ଗୋଟିଏ ଓ୍ବିକେଟ ନେଇଥିବା, ହୋଲ୍ଡର ବର୍ତ୍ତମାନ କ୍ୟାରିୟରର ଶ୍ରେଷ୍ଠ 862 ପଏଣ୍ଟରେ ଅଛନ୍ତି, ତାଙ୍କ ପୂର୍ବରୁ ଅଗଷ୍ଟ 2000ରେ କୋର୍ଟନି ୱାଲଶଙ୍କ 866 ପଏଣ୍ଟ ଥିଲା ଯାହା କୌଣସି ୱେଷ୍ଟଇଣ୍ଡିଜ ବୋଲର ପାଇଁ ସର୍ବାଧିକ ପଏଣ୍ଟ ଥିଲା ।
ବର୍ତ୍ତମାନ ହୋଲ୍ଡର ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ଅଲରାଉଣ୍ଡର ଏବଂ ବୋଲର ମାନ୍ୟାତର 2 ନମ୍ବର ସ୍ଥାନରେ ଅଛନ୍ତି ।
ଜୋ ରୁଟଙ୍କ ଅନୁପସ୍ଥିତିରେ ଟିମର ନେତୃତ୍ବ ନେଉଥିବା ଷ୍ଟୋକ୍ସ, ଗତ ନଭେମ୍ବରରେ ଏଜେସ୍ ବୋଲରେ 43 ଏବଂ 46 ସ୍କୋର କରିବା ପରେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନବମ ସ୍ଥାନରେ ରହି କ୍ୟାରିୟରର ଶୀର୍ଷରେ ପହଁଞ୍ଚିଥିଲେ । ସେ ବର୍ତ୍ତମାନ କେବଳ ରୁଟ୍ଙ୍କ ଠାରୁ କେବଳ ଗୋଟିଏ ସ୍ଥାନ ପଛରେ ରହିଛନ୍ତି । ବୋଲରଙ୍କ ତାଲିକାରେ ମଧ୍ୟ 6ଟି ୱିକେଟ ସହ ତିନୋଟି ସ୍ଥାନ ଉପରକୁ ଉଠି ଷ୍ଟୋକ୍ସ 23ତମ ସ୍ଥାନରେ ପହଁଞ୍ଚିଛନ୍ତି ।