ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ କ୍ୟାରିୟର ଶେଷ ହୋଇଛି । ଏମିତି କିଛି ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି । 2004ରେ କାର୍ତ୍ତିକ 19 ବର୍ଷ ବୟସରେ ଟିମ ଇଣ୍ଡିଆରେ ଡେଭ୍ୟୁ କରିଥିଲେ । ତେବେ ଅନେକ ସଫଳତା ଓ ବିଫଳତା ମଧ୍ୟରେ ଟିମର ନିୟମିତ ସଦସ୍ୟ ହେବାରେ ସେ ସକ୍ଷମ ହୋଇନଥିଲେ ।
କାର୍ତ୍ତିକ ବର୍ତ୍ତମାନ ଟିମ ଇଣ୍ଡିଆର ସବୁଠୁ ସିନିୟର ଖେଳାଳି । ତେବେ 2019 ବିଶ୍ବକପ ଦଳରେ କାର୍ତ୍ତିକଙ୍କ ଉପରେ ଚୟନକର୍ତ୍ତା ଭରଷା କରିଥିଲେ । ବିଶ୍ବକପରେ ଟିମ ଇଣ୍ଡିଆର ଗୁରୁତ୍ତ୍ବପୂର୍ଣ୍ଣ ମଧ୍ୟକ୍ରମର ଦାୟିତ୍ବ କାର୍ତ୍ତିଙ୍କୁ ମିଳିଥିଲା । ମାତ୍ର ବିଶ୍ବକପରେ ଦଳ ତାଙ୍କଠୁ ଏକ ବିଜୟୀ ଇନିଂସର ଆଶା ରଖୁଥିବା ବେଳେ, କାର୍ତ୍ତିକ ନିରାଶ କରିଥିଲେ ।
ଅଗଷ୍ଟ 3ରୁ ଆରମ୍ଭ ହେଉଥିବା ଟିମ ଇଣ୍ଡିଆ ଆଗାମି ୱେଷ୍ଟଇଣ୍ଡିଜ ଗସ୍ତରେ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ମିଳିନାହିଁ । 3ଟି ଫର୍ମାଟରେ ଭାରତୀୟ ଦଳର ପ୍ରଥମ ପସନ୍ଦ ୱିକେଟ କିପର ଭାବେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି । ଏହି ନିଷ୍ପତ୍ତି ପରେ କାର୍ତ୍ତିକଙ୍କ କ୍ରିକେଟ କ୍ୟାରିୟର ହୁଏତ ଶେଷ ହୋଇଥିବା ଚର୍ଚ୍ଚା ହେଉଛି ।