ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଅଲରାଣ୍ଡର ପ୍ରଦର୍ଶନ ବଳରେ ଆଇପିଏଲର 13ତମ ସଂସ୍କରଣରେ ସାନଦାର ବିଜୟ ହାସଲ କରିଛି । ଚଳିତ ଲିଗର 19ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 59ରନ୍ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ତେବେ ବୋଲର ଅକ୍ସର ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।
ସୋମବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ତେବେ ଆରସିବି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଦିଲ୍ଲୀ ପକ୍ଷରୁ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ 26 ବଲରୁ ଅପାରାଜିତ 53 ରନର ବିସ୍ପୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏଥିରେ 6ଟି ଚୌକା ଓ 2ଟି ଛକା ସାମିଲ ରହିଥିଲା । ଓପନର ପୃଥ୍ବୀ ଶ 23 ବଲରୁ 5 ଚୌକା ଓ 2 ଛକା ସହାୟତାରେ 42 ରନର ଇଂନିସ ଖେଳିଥିଲେ। ସେହିପରି ଶିଖର ଧୱନ 32(28ବଲ୍), ଋଷଭ ପନ୍ତ 37 ରନ(25ବଲ୍) କରଥିବାବେଳେ, କ୍ୟାପଟେନ ଶ୍ରେୟସ ଆୟର ଓ ହେଟମୟର ମାତ୍ର 11 ରନ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭର ବେଳକୁ 4 ଓ୍ବିକେଟ ହରାଇ ଦଳ 196ରନ୍ ସଂଗ୍ରହ କରିଥିଲା ।