ଶାରଜାହ: ଆଇପିଏଲର 52ତମ ମ୍ୟାଚ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଉଭୟ ଟିମର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇଛି । ଶିବମ ଦୁବେ ଓ ଡେଲ ଷ୍ଟେନଙ୍କ ସ୍ଥାନରେ ଆରସିବି ଚୂଡାନ୍ତ ଏକାଦଶକୁ ଫେରିଛନ୍ତି ନବଦୀପ ସାଇନି ଓ ଇସୁରୁ ଉଦ୍ଦାନା । ସେହିପରି ବିଜୟ ଶଙ୍କରଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦେଇଛି ହାଇଦ୍ରାବାଦ ।
ଲଗାତାର ଦୁଇଟି ପରାଜୟ ହାଇଦ୍ରାବାଦ ବିପକ୍ଷରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟ ସହ ମଇଦାନକୁ ଓହ୍ଲାଇବ ବିରାଟ କୋହଲିଙ୍କ ଆରସିବି । ଏହି ମ୍ୟାଚରେ ବିଜୟୀ ହେଲେ ଆରସିବି ପ୍ଳେ-ଅଫରେ ପ୍ରବେଶ କରିବ । ମୋଟ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ବାଙ୍ଗାଲୋର । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଅବଶିଷ୍ଟ ଦୁଇଟି ମ୍ୟାଚରେ ବିଜୟ ସହ, ପ୍ଲେ-ଅଫ ପ୍ରବେଶ ପାଇଁ ଭାଗ୍ୟ ସାଥ ଦେବା ଅପେକ୍ଷାରେ ରହିଛି ।