ଦୁବାଇ: ଭାରତର 2 ଦିଗଜ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଜି ଦୁବାଇ ଷ୍ଟାଡିୟମରେ ଦେଖିବାକୁ ମିଳିବ ଫାଇଟ୍ । ଆଇପିଏଲର 13ତମ ସଂସ୍କରଣର 10ମ ମ୍ୟାଚରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଏହି ଲିଗର 3ୟ ମ୍ୟାଚ ଖେଳିବେ ।
ତେବେ ଉଭୟ ଅଧିନାୟକଙ୍କ ମଧ୍ୟରେ ତୁଳନା କରାଗଲେ ଆଗରେ ରହିବେ ରୋହିତ ଶର୍ମା । 4ଥର ଲିଗ୍ର ଚମ୍ପିଆନ ହୋଇ ସାରିଛି ମୁମ୍ବାଇ । କିନ୍ତୁ କୋହଲି ଏଯାଏଁ କୌଣସି ସଂସ୍କରଣରେ ଚମ୍ପିଆନ ହୋଇ ପାରିନାହାନ୍ତି । ଆଉ ବର୍ତ୍ତମାନର ଫର୍ମକୁ ଦେଖିଲେ ରୋହିତ କେକେଆର ବିପକ୍ଷରେ ସାନଦାର ପାଳି ଖେଳି ବିଜୟ ହାସଲ କରିଥିଲେ । ଅନ୍ୟପଟେ ଚଳିତ ସିଜନରେ କୋହଲିଙ୍କ ବ୍ୟାଟରୁ ରନ୍ ବାହାରି ନାହିଁ । ତେବେ ଆଜିର ମ୍ୟାଚରେ କୋହିଲି ଚାହିଁବେ ଫର୍ମକୁ ଫେରିବାକୁ । କାରଣ ଟିମ ତାଙ୍କ ବ୍ୟାଟିଂ ଉପରେ ପ୍ରାୟତଃ ନିର୍ଭରଶୀଳ । ଏଥିସହ ଆରସିବି ଟିମର ଆଉ ଏକ ଖେଳାଳି ଏବି ଡେଭିଲିୟର୍ସଙ୍କୁ ଫର୍ମକୁ ଫେରିବାକୁ ପଡିବ ।
ଆରସିବିର ଓପନର ଯୋଡି ଦେବଦତ୍ତ ପାଡିକଲ- ଆରୋନ ଫିଞ୍ଚ ଫର୍ମରେ ରହିଛନ୍ତି । କିନ୍ତୁ ଏମଆଇର ବୁମରାହଙ୍କ ବୋଲିଂ ପ୍ରତି ସତର୍କ ରହିବାକୁ ପଡିବ । ତେବେ ଟିମରେ ଫିନିସର କେହି ନାହିଁନ୍ତି , ଯିଏ କି ଅନ୍ତିମ ଓଭରରେ ଦ୍ରୁତ ଭାବେ ରନ କରି ପାରିବେ । ଶିବମ ଦୁବେ ଏହି ସ୍ଥାନ ନେବାର ଯୋଗ୍ୟତା ରଖିଛନ୍ତି, କିନ୍ତୁ ଏଯାଏଁ ସଫଳ ହୋଇ ନାହାଁନ୍ତି । ବଲିଂ ବିଭାଗରେ ଏଯାଏଁ ଡେଲ ଷ୍ଟେନ କୌଣସି କରିସ୍ମା ଦେଖାଇ ପାରି ନାହାଁନ୍ତି । ଉମେଶ ଯାଦବ ଓ ନବଦୀପ ସାଇନି ହାଇଦ୍ରାବାଦ ବିପକ୍ଷରେ ଭଲ ଖେଳିଥିଲେ ଓ ସ୍ପିନର ୟୁଜବେନ୍ଦ୍ର ଚହଲ ଭଲ ଫର୍ମରେ ରହିଛନ୍ତି ।