ଆବୁଧାବି: ଶନିବାର ଠାରୁ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଏହି ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ଥାଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଧମାଲ୍ କରିଛି । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ 5ଓ୍ବିକେଟରେ ମାତ ଦେଇଛି ଚେନ୍ନାଇ ।
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ ଓପନ ପାଇଁ ଗ୍ରାଉଣ୍ଡକୁ ଆସିଥିଲେ । ଉଭୟ ମିଶି ମୁମ୍ବାଇ ପାଇଁ ଭଲ ଆରମ୍ଭ ଦେଇଥିଲେ । 4.4ଓଭରରେ 46 ରନର ପାର୍ଟନରସିପ କରିଥିଲେ । ଏହାପରେ ପିୟୁଷ ଚାୱଲା ବୋଲିଂରେ ପ୍ରଥମ ଖେଳାଳି ଭାବେ ରୋହିତ 12ରନ୍ କରି ଆଉଟ ହୋଇଥିଲେ । ଏହାର କିଛି ସମୟ ପରେ ଦଳୀୟ ସ୍କୋର 48 ଥିବାବେଳେ ଡିକକ(33ରନ୍) ମଧ୍ୟ କ୍ୟାଚ ଆଉଟ ହୋଇଥିଲେ । ପରେ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବ 17(16ବଲ୍) ଓ ସୌରଭ ତିୱାରୀ 42(31ବଲ୍) ,ହାର୍ଦ୍ଦିକ ପାଣ୍ଡ୍ୟା 14(10ବଲ୍) ଓ ପୋଲାର୍ଡ 18(14ବଲ୍) ରନର ଯୋଗଦାନ ଦେଇଥିଲେ ।
ବିପକ୍ଷ ଦଳ ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିବାବେଳେ ଦିପକ ଚହର, ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସେହିପରି ସାମ କରନ ଓ ପିୟୁଷ ଚାୱଲା ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ ତେବେ ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 9 ଓ୍ବିକେଟ ବନିମୟରେ 162ରନର କରିଥିଲା ।