ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ପ୍ରଥମ ଟ୍ରଫି ବିଜୟ ଆଶାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ 4 ଥର ଆଇପିଏଲ ଟ୍ରଫି ନିଜ ନାମରେ କରିସାରିଛି । ଫଳରେ ପଞ୍ଚମ ଥର ଚମ୍ପିଆନ ଲକ୍ଷ୍ୟରେ ରହିବ ରୋହିତ ବ୍ରିଗେଡ ।
ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସଂସ୍କରଣରେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ମାତ୍ର ଲିଗ ପର୍ଯ୍ୟାୟର ଶେଷ ଭାଗରେ କ୍ରମାଗତ ପରାଜୟ ସହ ପ୍ଲେ-ଅଫରେ ପହଞ୍ଚିବା ଆଶଙ୍କା ଦେଖାଯାଇଥିଲା । ତେବେ ନକଆଉଟ ମ୍ୟାଚରେ ବିଜୟ ଟ୍ରାକକୁ ଫେରିବା ସହ ପ୍ରଥମ ଥର ଫାଇନାଲ ପହଞ୍ଚିଥିଲା ଦଳ ।
ଉଭୟ ମୁମ୍ବାଇ ଓ ଦିଲ୍ଲୀ ଟିମରେ ଏକାଧିକ ମ୍ୟାଚ ବିଜୟୀ ଖେଳାଳି ସହ ପାୱର ହିଟର ରହିଛନ୍ତି । ମାତ୍ର ଚଳିତ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପ୍ରାୟ ସମସ୍ତ ମ୍ୟାଚରେ ଦଳଗତ ପ୍ରଦର୍ଶନ ସହ ବିଜୟ ବିଜୟ ଟ୍ରାକରେ ରହିଛି । ଫଳରେ ଫାଇନାଲ ମୁକାବିଲାରେ କ୍ରିକେଟର ସମସ୍ତ ବିଭାଗରେ ମୁମ୍ବାଇର ପ୍ରଭାବୀ ପ୍ରଦର୍ଶନ ଦିଲ୍ଲୀ ଉପରେ ଭାରୀ ପଡିପାରେ ।
ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ(483 ରନ), ଇଶାନ କିଶନ(483 ରନ), ସୂର୍ଯ୍ୟକୁମାର ଯାଦବ(461 ରନ) ଶୀର୍ଷ ବ୍ୟାଟିଂ କ୍ରମରେ ଫର୍ମରେ ରହିଛନ୍ତି । ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା(278 ରନ), କିରଣ ପୋଲାର୍ଡ(259 ରନ) ମଧ୍ୟ ବିସ୍ଫୋରକ ଇଂନିସ ସହ ଭଲ ଆରମ୍ଭକୁ ବଡ ସ୍କୋରରେ ବଦଳାଇବାରେ ସଫଳ ରହିଛନ୍ତି ।
କ୍ୟାପଟେନ ରୋହିତ ଶର୍ମା (264 ରନ) ସହ ରନ ସଂଗ୍ରହରେ ସାମାନ୍ୟ ପଛରେ ରହିଛନ୍ତି । ତେବେ ଆହତ ସମସ୍ୟା ରୋହିତଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛି । ଫାଇନାଲ ମ୍ୟାଚ ହୋଇଥିବାରୁ ରୋହିତଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ ।
ସେହିପରି ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ ବୁମାରା ମୋଟ 49 ୱିକେଟ ହାତେଇ ପ୍ରଭାବୀ ଯୋଡି ରହିଛନ୍ତି । ଜେମ୍ସ ପାଟିନସନ(11 ୱିକେଟ) ଓ ଲେଗ ସ୍ପିନର ରାହୁଲ ଚହର(15 ୱିକେଟ) ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ।
ଦିଲ୍ଲୀ ପାଖରେ ମଧ୍ୟ ଶକ୍ତିଶାଳୀ ବୋଲିଂ ଆଟାକ ରହିଛି । କାଗିସୋ ରବାଡା(29 ୱିକେଟ) ଓ ଆନରିଚ ନର୍ଟଜେ(20 ୱିକେଟ) ସହ ଦମଦାର ଫର୍ମରେ ରହିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ (13 ୱିକେଟ), ମାର୍କସ ଷ୍ଟୋଇନିସ (12 ୱିକେଟ) ଓ ବାମହାତୀ ସ୍ପିନର ଅକ୍ସର ପଟେଲ (9 ୱିକେଟ) ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।