ଦୁବାଇ: ଆଇପିଏଲର 13ତମ ସଂସ୍କରଣ 19 ସେପ୍ଟେମ୍ବରରୁ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି । ଆଉ ଏବେ ସମସ୍ତଙ୍କ ନଜର ରହିଛି ଏମଏସ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ଯିଏ ନିଜର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଧୋନି ଗତ ଅଗଷ୍ଟ 15 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ ଗତ ପ୍ରାୟ 14 ମାସରୁ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ତେବେ ଆଇପିଏଲର ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ଧୋନିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଛନ୍ତି ଏବଂ ଦେଖିବାକୁ ଚାହୁଁଛନ୍ତି ଯେ ବର୍ତ୍ତମାନ ମଧ୍ୟ ଧୋନିଙ୍କର ପ୍ରତିପକ୍ଷକୁ ସମସ୍ୟାରେ ପକାଇବାର ସେହି କ୍ଷମତା ଅଛି ନା ନାହିଁ ।
ଆଇପିଏଲର ଓପନିଂ ମ୍ୟାଚ ବିଷୟରେ ଏକ ଚାଟ ଶୋ ରେ ଆଲୋଚନା କରିବା ବେଳେ ଧୋନିଙ୍କୁ ଖୁବ ପ୍ରଶଂସା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ ।
‘‘ଏମଏସ ଧୋନି ହେଉଛନ୍ତି କ୍ୟାପ୍ଟେନ କୁଲ । ସେ 14 ମାସ ଧରି କ୍ରିକେଟ ଖେଳି ନାହାନ୍ତି । ସେ ଚେନ୍ନାଇରେ ଏକ କ୍ୟାମ୍ପ କରିଥିଲେ । ଏହାସହ କ୍ବାରେଣ୍ଟାଇନରେ ଥିବା ବେଳେ କିଛି ଯୁବ ଖେଳାଳିଙ୍କୁ ସେ ଅନୁଶାସନ ଶିଖାଇଛନ୍ତି କାରଣ ତାଙ୍କ ଖେଳରେ ଖୁବ ଅନୁଶାସନ ରହିଛି,’’ ବୋଲି ଜୋନ୍ସ କହିଛନ୍ତି ।