ଦୁବାଇ: ଚଳିତ ସଂସ୍କରଣର 14ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ଉଭୟ ଲିଗ୍ର 4ର୍ଥ ମ୍ୟାଚ ଖେଳିବେ । ଚେନ୍ନାଇ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ 7ମ ସ୍ଥାନରେ ରହିଛି । ଦୁବାଇ ଗ୍ରାଉଣ୍ଡରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
ଚେନ୍ନାଇ ଆଇପିଏଲର ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଥିଲା । ଏହାପରେ ବାକି 2ଟି ମ୍ୟାଚରେ ପରାଜିତ ହୋଇଛି । ତେବେ ଦଳକୁ ପୁରୁଣା ଫର୍ମରେ ଫେରିବା ପାଇଁ ଚେନ୍ନାଇର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଏଯାଏଁ କେବଳ ଫାଫ ଡୁ ପ୍ଲେସିସ୍ ହିଁ ଟିମ ପାଇଁ ରନ କରୁଛନ୍ତି । ତାଙ୍କ ବ୍ୟତୀତ ଆଉ କାହାର ବ୍ୟାଟିଂରୁ ରନ ଆସି ନାହିଁ । ଅମ୍ବାତି ରାୟିଡୁ ପ୍ରଥମ ମ୍ୟାଚରେ ଟିମକୁ ବିଜୟ ହାସଲ କରିବାରେ ମୁଖ୍ୟ ଭୂମିକା ତୁଲାଇ ଥିଲେ, କିନ୍ତୁ ଆହତ କାରଣରୁ ସେ ବାକି 2ଟି ମ୍ୟାଚରୁ ବାଦ୍ ପଡିଛନ୍ତି । ରାୟିଡୁ ଯଦି ଆଜିର ମ୍ୟାଚରେ ସାମିଲ ହେବେ ତେବେ ଦଳକୁ ଶକ୍ତି ମିଳିବ । ଅନ୍ୟପଟେ ତାଙ୍କ ସ୍ଥାନରେ ଖେଳୁଥିବା ଋତୁରାଜ ଗାଇକୱାଡ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି । ଧୋନି ବ୍ୟାଟିଂ ପାଇଁ ତଳକ୍ରମରେ ଆସୁଛନ୍ତି , ସେଥିଲାଗି ଧୋନିଙ୍କ ଆଲୋଚନା ମଧ୍ୟ କରାଯାଉଛି । ଟିମର ବ୍ୟାଟିଂକୁ ଦେଖିଲେ ଅନୁଭବୀ ଖେଳାଳି ଧୋନିଙ୍କୁ ଆରମ୍ଭରୁ ଆସି ବ୍ୟାଟିଂ ଭାର ସମ୍ଭାଳିବାର ଆବଶ୍ୟକତା ରହିଛି । ତେବେ ହାଇଦ୍ରାବାଦ ବିପକ୍ଷରେ ଧୋନି କେଉଁ ସ୍ଥାନରେ ଆସୁଛନ୍ତି ସମସ୍ତଙ୍କ ନଜର ରହିବ । ଏଥିସହ ଶେନ ୱାଟସନ ଫର୍ମକୁ ଆସି ସାଥୀ ଓପନର ମୁରଲୀ ବିଜୟଙ୍କ ସହ ଭଲ ପାର୍ଟନରସିପ ଇଂନିସ ଖେଳିବାକୁ ପଡିବ ।
ବୋଲିଂକୁ ଦେଖିଲେ ଦୀପକ ଚହର,ସାମ କୁରାନ, ଜୋସ ହେସଲଉୁଡ ଫର୍ମରେ ଅଛନ୍ତି । କିନ୍ତୁ ସ୍ପିନରଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଓ ପୀୟୁଷ ଚାୱଲା ଭଲ ଫର୍ମରେ ନଜର ଆସି ନାହାଁନ୍ତି ।