ଦୁବାଇ: ପ୍ରଥମ ଟିମ ଭାବେ ଆଇପିଏଲ 2020ର ଫାଇନାଲରେ ପହଞ୍ଚିଛି ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 57 ରନରେ ବିଜୟୀ ହୋଇଛି ମୁମ୍ବାଇ । ଫଳରେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଫାଇନାଲ ଟିକେଟ ହାତେଇଛି ମୁମ୍ବାଇ ।
ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଫାଇନାଲରେ ପହଞ୍ଚିବାକୁ ଆଉ ଏକ ସୁଯୋଗ ରହିଛି । ରବିବାର ଏଲିମିନେଟର ମ୍ୟାଚରପ ବିଜେତା ଟିମ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ । ପରେ ଏହି ମ୍ୟାଚର ବିଜେତା ନଭେମ୍ବର 10ରେ ମୁମ୍ବାଇ ସହ ଫାଇନାଲ ଖେଳିବ । ଶୁକ୍ରବାର ଏଲିମିନେଟର ମ୍ୟାଚ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟରଙ୍କ ଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଧାରିତ 20 ଓଭରରେ 5 ୱିକେଟ ହରାଇ 200 ରନ କରିଥିଲା । ପରେ ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ବଳରେ ଦିଲ୍ଲୀର ଇଂନିସକୁ 148/8ରେ ସୀମିତ ରଖିଥିଲା ମୁମ୍ବାଇ ।
201 ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ପ୍ରଥମ ଦୁଇ ଓଭରରେ 3ଟି ବଡ ଝଟକା ଲାଗିଥିଲା । ଓପନର ପୃଥ୍ବୀ ଶ ଓ ଅଜିଙ୍କ୍ୟ ରାହାଣେଙ୍କୁ ଯଥାକ୍ରମେ ଇଂନିସର ଦ୍ବିତୀୟ ବଲ ଓ ପଞ୍ଚମ ବଲରେ ଟ୍ରେଣ୍ଟ ବୋଲ୍ଟ ଶୂନରେ ଆଉଟ କରି ପାଭିଲିୟନ ଫେରାଇ ଦେଇଥିଲେ । ପରେ ଶିଖର ଧାୱନଙ୍କୁ ଆଉଟ କରି ବୁମରା ଦିଲ୍ଲୀକୁ ବିନା କୌଣସି ଦଳୀୟ ସ୍କୋରରେ 3ଟି ୱିକେଟ ହରାଇବା ସ୍ଥିତିରେ ପହଞ୍ଚାଇଦେଇଥିଲେ । ପରବର୍ତ୍ତୀ ଓଭରରେ ବୁମରା ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟରଙ୍କୁ ପରେ କ୍ରୁଣାଳ ପାଣ୍ଡ୍ୟା ଋଷଭ ପନ୍ତଙ୍କ ଶିକାର କରିଥିଲେ ।