ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଲୋକପ୍ରିୟ ଲିଗ ମଧ୍ୟରେ ଆଇପିଏଲ ହେଉଛି ଅନ୍ୟତମ । ତେବେ 2008ରେ ଆରମ୍ଭ ହୋଇଥିବା ଏହି ଲିଗରେ ଅନେକ ରେକର୍ଡ ସୃଷ୍ଟି ବି ହୋଇଛି ଓ ଅନେକଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛି । କିନ୍ତୁ ଆଇପିଏଲର ଏପରି କିଛି ରେକର୍ଡ ରହିଛି, ଯାହା ଭାଙ୍ଗିବା ପ୍ରାୟତଃ ଅସମ୍ଭବ ।
ତେବେ ଆସନ୍ତୁ ଜାଣିବା ସେହି 5 ରେକର୍ଡ ସମ୍ବନ୍ଧରେ ଯାହା ଏବେ ବି ବଜାୟ ରହିଛି...
1. କ୍ରିସ ଗେଲଙ୍କ 175* ଇନିଂସ
ଆରସିବି ପକ୍ଷରୁ 2013ରେ ଖେଳୁଥିବା କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । 23 ଅପ୍ରେଲ 2013ରେ ପୁଣେ ଟିମ ବିପକ୍ଷରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ 66 ବଲରେ 175 ରନର ପାଳି ଖେଳି ନଟ ଆଉଟ ରହିଥିଲେ ଗେଲ । ଏହି ପାଳିରେ 13ଟି ଚୌକା ଓ 17ଟି ଛକା ସାମିଲ ଅଛି । ଆଇପିଏଲ ଓ ଟି-20 କ୍ରିକେଟ ଇତିହାସରେ କୌଣସି ବ୍ୟାଟ୍ସମ୍ୟାନ ଏହି ରେକର୍ଡ ଏଯାଏଁ ଭାଙ୍ଗି ପାରି ନାହାଁନ୍ତି ।
2. ବିରାଟ କୋହଲିଙ୍କ ସିଜନ ରେକର୍ଡ
ଆରସିବି ଅଧିନାୟକ ବିରାଟ କୋହଲି 2016 ଆଇପିଏଲରେ ସାନଦାର ପ୍ରଦର୍ଶନ କରି ଅରେଞ୍ଜ କ୍ୟାପ ଜିତିବା ସହ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ । ନିଜ ଦଳ ପାଇଁ ସେ 16ଟି ମ୍ୟାଚ ଖେଳି 973ରନ ସଂଗ୍ରହ କରିଥିଲେ । ଏଥିସହ ସେହି ସିଜନରେ ମୋଟ 4ଟି ଶତକୀୟ ପାଳି ଖେଳିଥିଲେ ।
ବିରାଟ କୋହଲିଙ୍କ ସିଜନ ରେକର୍ଡ 3. ଆଶିଷ ନେହେରାଙ୍କ ଖାସ ରେକର୍ଡ
2009ରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳୁଥିବା ଆଶିଷ ନେହେରା ଉକ୍ତ ସିଜନରେ ଏକ ଖାସ ଉପଲବ୍ଧି ନିଜ ନାଁରେ କରିଥିଲେ । 15 ମେ 2019ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ନେହେରା 4ଓଭରରେ 1.5ର ସାନଦାର ଇକୋନୋମି ରେଟରେ ମାତ୍ର 6ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ । ନେହେରା ଏହି ମ୍ୟାଚରେ ମେଡନ ଓଭର ପକାଇଥିଲେ । ଏହା ବ୍ୟତୀତ ସେହି ସିଜନରେ ଆଶିଷ ନେହେରା ସର୍ବାଧିକ ଓ୍ବିକେଟ ନେଇଥିବା ବୋଲରଙ୍କ ମଧ୍ୟରେ 3ୟ ସ୍ଥାନରେ ଥିଲେ । ସେ 13ଟି ମ୍ୟାଚରେ ଖେଳି 19 ଓ୍ବିକେଟ ହାସଲ କରିଥିଲେ ।
ଆଶିଷ ନେହେରାଙ୍କ ଖାସ ରେକର୍ଡ 4. ଗୋଟିଏ ଓଭରରେ 37ରନ
2011 ଆଇପିଏଲ ସିଜନରେ ଆରସିବି ଓ କୋଚି ଟସ୍କର୍ସ ମଧ୍ୟରେ ଖେଳା ଯାଇଥିବା ଏକ ମ୍ୟାଚରେ କ୍ରିସ ଗେଲ ପ୍ରଶାନ୍ତ ପରମେଶ୍ବରନଙ୍କ ବୋଲିଂରେ 4ଟି ଛକା ଓ 3ଟି ଚୌକା ମାରିଥିଲେ ଓ ଗୋଟିଏ ନୋ ବଲ ମଧ୍ୟ ରହିଥିଲା । ପ୍ରଶାନ୍ତ ଏକ ଓଭରରେ 37ରନ ଦେଇଥିଲେ, ଯାହା ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଓଭର ସାବ୍ୟସ୍ତ ହୋଇଥିଲା ।
5. 2009ରେ ଯୁବରାଜ ସିଂଙ୍କ 2ଥର ହ୍ୟାଟ୍ରିକ ହାସଲ
2009ରେ ସାଉଥଆଫ୍ରିକାରେ ଆୟୋଜିତ ଆଇପିଏଲରେ ଯୁବରାଜ ସିଂ 2ଥର ହ୍ୟାଟ୍ରିକ ନେଇଥିଲେ । ଏହି ରେକର୍ଡ କୌଣସି ବୋଲର ଏଯାଏଁ ଭାଙ୍ଗି ପାରି ନାହାଁନ୍ତି । ସେହି ସିଜନର 1 ମେ’ ରେ ପ୍ରଥମ ହ୍ୟାଟ୍ରିକ ଆରସିବି ବିପକ୍ଷରେ ନେଇଥିଲେ । 2ୟ ହ୍ୟାଟ୍ରିକ ଡେକାନ ଚାର୍ଜସ ବିପକ୍ଷରେ ନେଇଥିଲେ ଅଲରାଉଣ୍ଡର ଯୁବରାଜ ସିଂ ।
2009ରେ ଯୁବରାଜ ସିଂଙ୍କ 2ଥର ହ୍ୟାଟ୍ରିକ ହାସଲ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ