କାନବେରା:କ୍ରିକେଟ ଖେଳାଳିରୁ ବସ ଡ୍ରାଇଭର ପାଲଟିଲେ ଅନ୍ତର୍ଜାତୀୟ ଶ୍ରୀଲଙ୍କା କ୍ରିକେଟର ସୁରଜ ରଣଦୀପ । ଦିନେ ନିଜ ବୋଲିଂ ଧାରରେ ପଡ଼ିଆରେ ବ୍ୟାଟସମ୍ୟାନଙ୍କୁ ଚକମା ଦେଉଥିବା ଏହି ସ୍ପିନ ବୋଲର ଆଜି ବଞ୍ଚିବା ପାଇଁ ବଲ ଛାଡ଼ି ହାତରେ ଷ୍ଟିୟରିଂ ଧରିଛନ୍ତି । କେବଳ ସୁରଜ ରଣଦୀପ ନୁହେଁ ତାଙ୍କ ସାଥି ଶ୍ରୀଲଙ୍କା ଖେଳାଳି ମଧ୍ୟ ଅଷ୍ଟ୍ରେଲିଆରେ ବସ ଚଲାଉଥିବା ଦେଖିବାକୁ ମିଳିଛି । ଏହି ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନଥିଲେ ସୁଦ୍ଧା ଅନେକ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି ।
ଅଷ୍ଟ୍ରେଲିଆରେ ଫ୍ରାନ୍ସର କମ୍ପାନୀ ଟ୍ରାନ୍ସଡେଭ ନାମକ ବସ ଚାଳକ ସଂସ୍ଥାରେ ସୁରଜ ରଣଦୀପ ଚାକିରୀ କରୁଛନ୍ତି। ଖାଲି ସେତିକି ନୁହେଁ ଏହି ଖବର ମିଳିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ନେଟ ବୋଲର ଭାବରେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ଜଣେ ସୋସିଆଲ ମିଡିଆ ୟୁଜର ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ତାଙ୍କ ବନ୍ଧୁମାନେ ମଧ୍ୟ ଅଷ୍ଟ୍ରେଲିଆର ସ୍ଥାନୀୟ କ୍ରିକେଟ କ୍ଲବ ପାଇଁ ଖେଳି ଦୁଇ ପଇସା ରୋଜଗାର କରୁଛନ୍ତି।