ଓଡିଶା

odisha

ETV Bharat / sports

ବ୍ୟାଟ୍ସମ୍ୟାନଙ୍କ ଧମାକା ପରେ କୁଲଦୀପଙ୍କ ହ୍ୟାଟ୍ରିକ, 107ରନରେ ହାରିଲା ଇଣ୍ଡିଜ୍ - ଭାରତ ବନାମ ୱେଷ୍ଟ ଇଣ୍ଡିଜ ଦିନିକିଆ

388 ରନକୁ ପିଛା କରି 280 ରନରେ ଅଟକିଲା ୱେଷ୍ଟଇଣ୍ଡିଜ ପାଳି । 107 ରନରେ ମ୍ୟାଚ ଜିତିଲା ଭାରତ । ସିରିଜ ବର୍ତ୍ତମାନ 1-1ରେ ବରାବର । ଅଧିକ ପଢନ୍ତୁ..

India vs West Indies 2nd ODI, India won by 107 runs, ଭାରତକୁ 107 ରନର ବଡ଼ ବିଜୟ, ୱେଷ୍ଟ ଇଣ୍ଡିଜର ପରାଜୟ, ଭାରତ ବନାମ ୱେଷ୍ଟ ଇଣ୍ଡିଜ ଦିନିକିଆ, ବିଶାଖାପଟନମ ଦିନିକିଆ
ଇଣ୍ଡିଜର ଶୋଚନୀୟ ପରାଜୟ, ଭାରତକୁ 107 ରନର ବଡ଼ ବିଜୟ

By

Published : Dec 18, 2019, 10:06 PM IST

Updated : Dec 18, 2019, 11:36 PM IST

ବିଶାଖାପଟନମ: ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ 107 ରନରେ ମାତ ଦେଇଛି ଭାରତ । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ 1-1ରେ ବରାବର କରିଛି । ଆସନ୍ତା 22 ତାରିଖରେ କଟକରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ । ପ୍ରଥମେ ବ୍ୟାଟିଂ କରି ଭାରତ 387 ରନର ବିଶାଳ ସ୍କୋର କରି ଭ୍ରମଣକାରୀ ଦଳ ପାଇଁ 388 ରନର ଟାର୍ଗେଟ ରଖିଥିଲା । ପ୍ରତିଉତ୍ତରରେ ଇଣ୍ଡିଜ ଦଳ 280 ରନରେ ଅଲ ଆଉଟ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ହ୍ୟାଟ୍ରିକ ଏବଂ ମହମ୍ମଦ ସାମି ତିନୋଟି ୱିକେଟ ନେଇଛନ୍ତି ।

ଇଣ୍ଡିଜର ଶୋଚନୀୟ ପରାଜୟ, ଭାରତକୁ 107 ରନର ବଡ଼ ବିଜୟ

ପ୍ରଥମେ ବ୍ୟାଟିଂ କରି ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ପ୍ରଥମ ୱିକେଟ ପାଇଁ ଉଭୟ 227ରନର ଭାଗିଦାରୀ କରିଥିଲେ । 102 ରନ କରି ରାହୁଲ ଆଉଟ ହେବା ପରେ ଅଧିନାୟକ କୋହଲି ମଧ୍ୟ ବିନା ଖାତା ଖୋଲି ପଭିଲିଅନ ଫେରି ଯାଇଥିଲେ । ଏହାପରେ ଶ୍ରେୟସ ଆୟାର ଓ ରୋହିତଙ୍କ ମଧ୍ୟରେ ହୋଇଥିଲା ଭାଗିଦାରୀ । ଦମଦାର ବ୍ୟାଟିଂ କରି ରୋହିତ 159 ରନ କରି ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ ଋଷଭ ପନ୍ତ ଆଉ ଇଣ୍ଡିଜ ବୋଲରଙ୍କ ଖୁବ ଧୁଲାଇ କରିଥିଲେ । ଷ୍ଟାଡିୟମରେ ଛକା ଓ ଚୌକା ବର୍ଷା କରିଥିଲେ ଶ୍ରେୟାସ ଓ ପନ୍ତ । ଉଭୟ ମିଶି ଭାରତର ସ୍କୋର 360 ପାର କରାଇଥିଲେ । ମାତ୍ର 16 ବଲରେ 4 ଛକା ଓ 3 ଚୌକା ସହ 39 ରନ କରିଥିଲେ ପନ୍ତ । ଶ୍ରେୟାସ ଆୟର ମଧ୍ୟ ଅନୁରୂପ ଭାବେ 4 ଛକା ଓ 3 ଚୌକା ସହ 32 ବଲରେ 53 ରନ ସଂଗ୍ରହ କରି ଆଉଟ ହୋଇଥିଲେ । ନିର୍ଦ୍ଧାରିତ 50 ଓଭରରେ 387 ରନ କରି ଭାରତ 388 ରନର ଟାର୍ଗେଟ ଦେଇଥିଲା ଇଣ୍ଡିଜକୁ ।

ବିଶାଳ ସ୍କୋରକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଇଣ୍ଡିଜ ଦଳର ଆରମ୍ଭ ଖୁବ ଧିମା ହୋଇଥିଲା । ଓପନର ଲୁଇସ ଓ ହୋପ ପ୍ରଥମ ୱିକେଟ ପାଇଁ 61 ରନର ଭାଗିଦାରୀ କରିବା ପରେ ଶାର୍ଦୁଲ ଠାକୁରଙ୍କ ଶିକାର ହେଲେ ଲୁଇସ । ଏହାପରେ ହିଟମେୟରଙ୍କୁ 4 ରନରେ ରନ ଆଉଟ କଲେ ଶ୍ରେୟାସ ଆୟାର । ରବିନ୍ଦ୍ର ଜାଡେଜା ରୋଷ୍ଟନ ଚେଜଙ୍କୁ ଆଉଟ କଲେ । ଚେଜ 4 ରନ କରି ଆଉଟ ହୋଇଥିଲେ । ନିକୋଲସ ପୂରନ ସାମିଙ୍କ ବଲରେ କୁଲଦୀପ ହାତରେ କ୍ୟାଚ ଆଉଟ ହେଲେ । ପୂରନ ଓ ହୋପଙ୍କ ମଧ୍ୟରେ ଚତୁର୍ଥ ୱିକେଟ ପାଇଁ 106 ରନର ଭାଗିଦାରୀ ହୋଇଥିଲା । ସାମି ଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡଙ୍କୁ ଶୂନ ରନରେ ପଭିଲିୟନର ରାସ୍ତା ଦେଖାଇଥିଲେ । ଏହା ପରେ କୁଲଦୀପ ନିଜର ପ୍ରଥମ ଶିକାର ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପଙ୍କୁ କରିଥିଲେ । ପରେ ଜେସନ ହୋଲ୍ଡର ଓ ଶେଷର ଫାଷ୍ଟ ବୋଲର ଅଲଜାରି ଜୋଶେଫଙ୍କୁ ଆଉଟ କରି ହ୍ୟାଟ୍ରିକ ୱିକେଟ ନେଇଥିଲେ । ଯାହାପରେ ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଟି ପାରିନଥିଲେ ଓ ୱେଷ୍ଟ ଇଣ୍ଡିଜର ପାଳି 280 ରନରେ ସୀମିତ ହୋଇଯାଇଥିଲା ।

ତେବେ ଏହି ମ୍ୟାଚ ପରେ ଏବେ ସଭିଙ୍କ ନଜର ରହିବ ତୃତୀୟ ଦିନିକିଆ ଉପରେ, ଯାହା 22 ଡିସେମ୍ବରରେ କଟକ ଠାରେ ଖେଳାଯିବ । ଉଭୟ ଟିମ କଟକ ଦିନିକିଆ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2019, 11:36 PM IST

ABOUT THE AUTHOR

...view details