ପୁଣେ: ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-20 ମ୍ୟାଚ ଖେଳିବ ଭାରତ । ତେବେ ମ୍ୟାଚ ପୂର୍ବରୁ ଟିମରେ ଦେଖା ଦେଇଛି ଦ୍ବନ୍ଦ୍ବ । ଦ୍ବିତୀୟ ମ୍ୟାଚ ଜିତାଇଥିବା ଟିମ ସହ ଖେଳିବେ ନା ଟିମରେ ପରିବର୍ତ୍ତନ କରି ସଞ୍ଜୁ ସାମସନ ଓ ମନିଷ ପାଣ୍ଡେଙ୍କୁ ଖେଳାଇବେ ସେନେଇ ଟେନସନରେ ଟିମ୍ ଇଣ୍ଡିଆ । ଶୁକ୍ରବାର ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଏହି ମ୍ୟାଚ ଖେଳାଯିବ ।
ଇନ୍ଦୋର ଠାରେ ଖେଳାଯାଇଥିବା ଦ୍ବିତୀୟ ଟି-20ରେ ଶ୍ରୀଲଙ୍କାର ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ଏହାକୁ ଲକ୍ଷ୍ୟ ରଖି ପାଣ୍ଡେ ଓ ସାମସନଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଟିମ । ପାଣ୍ଡେ ଚଳିତ ସିରିଜ ସହ ଗତ ତିନୋଟି ସିରିଜରେ କେବଳ ଗୋଟିଏ ମ୍ୟାଚ ଖେଳିଛନ୍ତି। ସେପଟେ ନଭେମ୍ବରରେ ବାଂଲାଦେଶ ସିରିଜରେ ଟିମକୁ ଫେରିଥିବା ସାମସନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ମଉକା ମିଳିନାହିଁ ।
ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ବକପକୁ ଦୃଷ୍ଟିରେ ରଖି ଭାରତ ଦଳରେ ସବୁବେଳେ କିଛି ନା କିଛି ପ୍ରୟୋଗ କରି ଆସୁଛି, ତେବେ ଏହି ଖେଳାଳିଙ୍କର ପରୀକ୍ଷା ନେବା ବାକି ରହିଛି । ସେପଟେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସଇନୀଙ୍କ ପାଇଁ ନିଜର ପ୍ରଭାବ ଦେଖାଇବାର ଭଲ ମଉକା ରହିଛି । ଉଭୟେ ମିଶି ଗତ ମ୍ୟାଚରେ ପାଞ୍ଚଟି ୱିକେଟ ମଧ୍ୟ ନେଇଛନ୍ତି ।
ୱାସିଂଟନ ସୁନ୍ଦର ଓ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନିଜ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ଦିଆଯାଇଥିଲା । ଇନ୍ଦୋରରେ ବିଜୟ ପରେ ଅଧିନାୟକ କୋହଲି କହିଥିଲେ ଯେ ଟିମ ପ୍ରତି ମ୍ୟାଚ ପରେ ଅଧିକ ମଜବୁତ ହେଉଛି ।
ସାମସନ ଓ ପାଣ୍ଡେ ଖେଳିବାକୁ ସୁଯୋଗ ନପାଇ ନିରାଶ ରହିଥିବେ କିନ୍ତୁ ଶୁକ୍ରବାର ତାଙ୍କୁ ସୁଯୋଗ ମିଳିପାରେ । ତେବେ ଟିମ ମ୍ୟାନେଜମେଣ୍ଟ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଚୟନ କରିବ ।
ତେବେ ଜସପ୍ରୀତ ବୁମରା ମଙ୍ଗଳବାର ମ୍ୟାଚକୁ ଫେରିଥିଲେ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ କିନ୍ତୁ ଶେଷ ମ୍ୟାଚରେ ସେ ନିଶ୍ଚିତ ଭଲ କରିବାକୁ ଚେଷ୍ଟା କରିବେ ।