ରାଞ୍ଚି: ଦେଓଧର ଟ୍ରଫି 2019-20ରେ ବିଜେତା ହୋଇଛି ଇଣ୍ଡିଆ-ବି । ଫାଇନାଲ ମ୍ୟାଚରେ ଇଣ୍ଡିଆ-ସିକୁ ହରାଇ ବିଜୟୀ ହୋଇଛି ଇଣ୍ଡିଆ-ବି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ ହରାଇ 283 ରନ କରିଥିଲା । 284 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ସି 50 ଓଭରରେ 9 ୱିକେଟ ହରାଇ 232ରନ କରିବାରେ ସକ୍ଷମ ହୋଇଥିଲା ।
ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଋତୁରାଜ ଗାୟକୱାଡ (0) ଓ ପାର୍ଥିବ ପଟେଲ (14) ରନ କରି ପାଭିଲିୟନ ଫେରି ଯାଇଥିଲେ । ଯାହାପରେ ଟିମର ସ୍ଥିତି ଟଳମଳ ହୋଇ ଯାଇଥିଲା । ଏହି ସମୟରେ ମଇଦାନକୁ ଓହ୍ଲାଇଲେ ଜଶସ୍ବୀ ଜୟସୱାଲ ଓ ଇଣ୍ଡିଆ-ବିର ମୋର୍ଚ୍ଚା ସମ୍ଭାଳିଥିଲେ । 54 ରନର ଚମତ୍କାର ପାଳି ଖେଳି ଟିମକୁ ସଙ୍କଟରୁ ଉଦ୍ଧାର କରିଥିଲେ । ତେବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଭୂମିକା ନିଭାଇଥିଲେ କେଦାର ଯାଦବ । 94 ରନର ପାଳି ଖେଳିଥିଲେ କେଦାର । ଏହାସହ ବିଜୟ ଶଙ୍କର 45 ରନ କରିଥିଲେ, ତେବେ 49 ତମ ଓଭରରେ 31 ରନ କରି ଟିମର ସ୍କୋର ସାତ ୱିକେଟ ବିନିମୟରେ 283 ରନକୁ ପହଁଞ୍ଚାଇଥିଲେ। ଇଣ୍ଡିଆ-ସି ପାଇଁ ଇଶାନ ପୁରେଲ 5ଟି ୱିକେଟ ହାତେଇ ଥିଲେ।