ଅହମ୍ମଦାବାଦ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ଖେଳାଯାଉଛି । ଗୁରୁବାର ପ୍ରଥମ ଦିନରେ ପୁନର୍ବାର ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଉଭୟ ସ୍ପିନ ଓ ପେସ୍ ଆକ୍ରମଣ ସାମ୍ନାରେ ଭ୍ରମଣକାରୀ ଦଳର କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ପାରିନାହାନ୍ତି । ତେବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ମ୍ୟାଚର 13ତମ ଓଭରରେ କ୍ୟାପଟେନ ବିରାଟ କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ କିଛି କଥା କଟାକଟି ଦେଖିବାକୁ ମିଳିଥିଲା । ଯାହା ମ୍ୟାଚରେ ଉଷ୍ମତା ଭରିଥିଲା । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଷ୍ଟୋକ୍ସ କିଛି କହିଥିଲେ । ଏଥିରେ କୋହଲିଙ୍କୁ ନାଖୁସ୍ ଦେଖିବାକୁ ମିଳିଥିଲା । ପରେ ଇଂଲିସ ଅଲରାଉଣ୍ଡରଙ୍କ ସହ ବେଶ୍ କିଛି ସମୟ କୋହଲି ପଡିଆର ମଧ୍ୟ ଭାଗରେ କଥା ହେବାର ଦେଖାଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଅମ୍ପାୟାର ନୀତିନ ମେନନଙ୍କୁ ଉଭୟ ଖେଳାଳିଙ୍କୁ ଶାନ୍ତ କରାଇବା ଦେଖିବାକୁ ମିଳିଥିଲା ।