ଦୁବାଇ:ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଛି, ମାତ୍ର କ୍ୟାପଟେନ ବିରାଟ କୋହଲି ଆଇସିସି ବିଶ୍ବ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ଷ୍ଟିଭ ସ୍ମିଥଙ୍କ ନିକଟତର ହୋଇଛନ୍ତି । ଆଡିଲେଡ ଟେଷ୍ଟର ପ୍ରଥମ ଇଂନିସରେ କୋହଲି 74 ରନର ଦମଦାର ଇଂନିସ ଖେଳିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇଥିଲେ । ଏହି ଅର୍ଦ୍ଧଶତକୀୟ ଇଂନିସ ସହାୟତାରେ ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଦୁଇ ପଏଣ୍ଟ ହାସଲ କରିଛନ୍ତି କୋହଲି ।
ଷ୍ଟିଭ ସ୍ମିଥ 901 ପଏଣ୍ଟ ସହ ମାନ୍ୟତାର ଶୀର୍ଷରେ ରହିଛନ୍ତି । କୋହଲି 888 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଡିଲେଡ ଟେଷ୍ଟ ପୂର୍ବରୁ ସ୍ମିଥ 911 ପଏଣ୍ଟରେ ଶୀର୍ଷରେ ରହିଥିଲେ । ତେବେ ମ୍ୟାଚର ଉଭୟ ଇଂନିସରେ ସ୍ମିଥ 1 , 1 ରନରେ ଆଉଚ ହେବାପରେ 10 ପଏଣ୍ଟ ହରାଇଛନ୍ତି ।
ସେହିପରି ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ କ୍ୟାରିୟରର ଶ୍ରେଷ୍ଠ 939 ପଏଣ୍ଟ ହାସଲ କରିଛନ୍ତି । ଲବୁସାନ ଆଡିଲେଡ ଟେଷ୍ଟର ପ୍ରଥମ ଇଂନିସରେ 47 ରନ ସଂଗ୍ରହ କରିଥିଲେ ।
ଆଡିଲେଡ ଟେଷ୍ଟରେ ପ୍ଲେଆର ଅଫ ଦ ମ୍ୟାଚ ହୋଇଥିବା ଅଷ୍ଟ୍ରେଲୀୟ କ୍ୟାପଟେନ ଟିମ ପେନ 592 ପଏଣ୍ଟ ସହ କ୍ୟାରିୟରର ଶ୍ରେଷ୍ଠ 33ତମ ସ୍ଥାନରେ ରହିଛନ୍ତି । ପେନଙ୍କ ଅପରାଜିତ 73 ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା ।