ଦୁବାଇ: ଏଣିକି ପ୍ରତିମାସରେ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରୁଥିବା କ୍ରିକେଟରଙ୍କୁ ମିଳିବ ପ୍ଲେୟାର ଅଫ ଦ ମନ୍ଥ(ମାସରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି) ପୁରସ୍କାର। ଉଭୟ ପୁରୁଷ ଓ ମହିଳା ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାକୁ ନେଇ ଆଇସିସି ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି।
ପ୍ଲେୟାର ଅଫ ଦ ମନ୍ଥ ପାଇଁ ଅନଲାଇନରେ ଭୋଟିଂ ହେବ। ଫ୍ୟାନ୍ସଙ୍କ ଭୋଟିଂ ଆଧାରରେ ପ୍ଲେୟାର ଅଫ ଦ ମନ୍ଥ ଚୟନ କରାଯିବ। ଏହାଛଡ଼ା ଆଇସିସି ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ଭୋଟିଂ ଏକାଡେମୀ ମଧ୍ୟ ଖୋଲାଯିବ। ଏହି ଏକାଡେମୀରେ ପୂର୍ବତନ କ୍ରିକେଟର, ପ୍ରସାରଣ ସଂସ୍ଥା ଓ କ୍ରୀଡ଼ା ସାମ୍ବାଦିକ ସାମିଲ ରହିବେ ବୋଲି ସୂଚନା ଦେଇଛି ଆଇସିସି। ଭୋଟିଂ ଏକାଡେମୀର ସଦସ୍ୟ ଇ-ମେଲ ମାଧ୍ୟମରେ ଭୋଟ ଦେବେ।
ତେବେ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳିଙ୍କ ଦୌଡରେ ଭାରତୀୟ ବୋଲର ମହମ୍ମଦ ସିରାଜ, ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ୱିକେଟ ରକ୍ଷକ ଋଷଭ ପନ୍ତ, ଟି ନଟରାଜନ ରହିଛନ୍ତି । ଏହି ସମସ୍ତ ଖେଳାଳି ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ, ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ, ଆଫଗାନିସ୍ତାନର ରେହମାନୁଲ୍ଲହା ଗୁରବାଜ, ଦକ୍ଷିଣ ଆଫ୍ରିକାର ମାରିଜାନ କାପ ଓ ନାଦିନ ଡେ କ୍ଲାର୍କ ଓ ପାକିସ୍ତାନର ନିଦା ଡାର ମଧ୍ୟ ଆଇସିସିର ପ୍ଲେୟାର ଅଫ ଦ ମନ୍ଥ ଦୌଡ଼ରେ ସାମିଲ ଅଛନ୍ତି।