ହାଇଦ୍ରାବାଦ: ଚଳିତ ସିଜିନରେ "ବିଶ୍ବକପରେ ବର୍ଷା"ର ଚିତ୍ର ସବୁଠାରୁ ଅଧିକ । ଏଯାବତ୍ ଧୋଇଗଲାଣି 4ଟି ମ୍ୟାଚ । ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ ଭାଗ କରାଯାଇଛି । ମାତ୍ର ଏହି ଭାଗ ପଏଣ୍ଟ ପାଇଁ ଭାରତକୁ କ୍ଷତି ପହଁଚିଥିବା ବେଳେ କ୍ରିକେଟ ପ୍ରେମୀ ମଧ୍ୟ ନିରାଶ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଆଇସିସିକୁ ଟ୍ରୋଲ କରାଯାଉଛି । "ସେମ୍ ଅନ ଆଇସିସି" ଟ୍ବିଟରରେ ଟ୍ରେଣ୍ଡ କରୁଛି ।
ଯଦିଓ "ବିଶ୍ବକପରେ ବର୍ଷା"ର ଚିତ୍ର ଚଳିତ ସିଜନରେ ଅଧିକ ରହିଛି । ମାତ୍ର କେବଳ ବିଶ୍ବକପ ନୂହେଁ ଆଇସିସିର ଏମିତି କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରହିଛି, ଯାହା ବର୍ଷା ଯୋଗୁଁ ବାତିଲ ହୋଇଛି । ଆସନ୍ତୁ ନଜର ପକାଇବା, ବର୍ଷା ଯୋଗୁଁ ବାତିଲ ହୋଇଥିବା ଆଇସିସିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଗୁଡିକ ଉପରେ ।
1992 ବିଶ୍ବକପ-
କ୍ରିକେଟ ଇତିହାସର ଚର୍ଚ୍ଚିତ ବିଶ୍ବକପ । ଇଂଲଣ୍ଡକୁ ହରାଇ ଟ୍ରଫି ଟେକିଥିଲା ପାକିସ୍ତାନ । ଏକଥା ଇତିହାସ ପୃଷ୍ଠାରେ ଲେଖା ହୋଇରହିଛି । କିନ୍ତୁ ଅନଲକି ସାବ୍ୟସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ପାଇଁ କଣ ଘଟିଥିଲା । ତାହା ପ୍ରାୟ ସମସ୍ତେ ଭୁଲି ଯାଇଥିବେ ।
ସେମିଫାଇନାଲରେ 13 ବଲରେ ଦକ୍ଷିଣ ଆଫ୍ରିକାକୁ ଦରକାର ଥିଲା 22ରନ । ମାତ୍ର 12 ମିନିଟର ବର୍ଷା ବଦଳାଇ ଦେଲା ସବୁ କିଛି । ବର୍ଷା ପରେ ଖେଳ ହେଲା । କିନ୍ତୁ ସବୁ ଓଲଟ ପଲାଟ ହୋଇ 1 ବଲରେ 22ରନ ରହିଗଲା । ଗୋଟିଏ ବଲରେ ଗୋଟିଏ ରନ କରି 21ରନରେ ସେମିଫାଇନାଲ ହାରିଲା ଦକ୍ଷିଣ ଆଫ୍ରିକା । ତେଣୁ ବର୍ଷା ଛଡାଇ ନେଲା ଦକ୍ଷିଆ ଆଫ୍ରିକାର ବିଶ୍ବକପ ଫାଇନାଲ ଟିକେଟ ।
2002 ଚାମ୍ପିଅନ୍ସ ଟ୍ରଫି- ( 110.4 ଓଭରର ଖେଳ, କିନ୍ତୁ ଫଳାଫଳ ଶୂନ )
2002 ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦିନରେ ଦୁଇ ଫାଇନାଲ ଖେଳାଯାଇଥିଲା । ଦୁଇଟି ଫାଇନାଲରେ ଦୁଇ ଜଣେ ବିଜେତା ନିର୍ଦ୍ଧାରଣ ହୋଇଥିଲେ ! ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଫାଇନାଲ ଖେଳାଯାଇଥିଲା । ପ୍ରଥମ ଦିନରେ ବର୍ଷା ହେବାରୁ 2ୟ ଦିନ ଖେଳ ହୋଇଥିଲା । ମାତ୍ର 2ୟ ଦିନରେ ମଧ୍ୟ ଖେଳ ଅଧାରୁ ବର୍ଷା ହେବା ଫଳରେ ମ୍ୟାଚ ବାତିଲ କରାଯାଇଥିଲା । ଫଳରେ ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟ୍ରଫି ଭାଗ ହୋଇଥିଲା ।