ନୂଆଦିଲ୍ଲୀ: ବହୁ ବିବାଦ, ବିଦାୟ, ସମାଲୋଚନା ମଧ୍ୟରେ ଶେଷରେ DDCA ପରିସରରେ ଉନ୍ମୋଚିତ ହେଲା ଦିଂବଗତ ବର୍ଷିଆନ ରାଜନେତା ତଥା କ୍ରୀଡା ପ୍ରଶାସକ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA)ର ପୂର୍ବତନ ଅଧ୍ୟକ୍ଷ ଥିଲେ ଜେଟଲୀ । ଫଳରେ ପୂର୍ବତନ ପ୍ରଶାସକଙ୍କ ସ୍ମୃତିରେ ବୋର୍ଡ ପକ୍ଷରୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ପ୍ରତିମୂର୍ତ୍ତି ରଖିବାକୁ ଯୋଜନା ଥିଲା ।
ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂ ବେଦୀ, ଜେଟଲୀଙ୍କ ପ୍ରତିମୂର୍ତ୍ତି ଷ୍ଟାଡିୟମରେ ଉନ୍ମୋଚନକୁ ନେଇ ଡିଡିସିଏକୁ ତୀବ୍ର ସମାଲୋଚନା କରିଥିଲେ । ବେଦୀ କହିଥିଲେ, ଷ୍ଟାଡିୟମରେ ଜଣେ ପ୍ରେରଣାଦାୟୀ କ୍ରିକେଟରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବଦଳରେ, ବୋର୍ଡ ପୂର୍ବତନ ପ୍ରଶାସକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛି । ଏହାକୁ ବିରୋଧ କରି ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରୁ ତାଙ୍କ ନାମରେ ଥିବା ଷ୍ଟାଣ୍ଡ ହଟାଇବାକୁ ଡିଡିସିଏକୁ କହିଥିଲେ ବିଶନ ସିଂ ବେଦୀ । ଏହାକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ହେଇଥିଲା ।
ତେବେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜେଟଲୀଙ୍କ ଜୀବନ୍ତ ଆକାରର ପ୍ରତିମୂର୍ତ୍ତି ଷ୍ଟାଡିୟମରେ ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତି 96 ବର୍ଷୀୟ ଜଣାଶୁଣା ଶିଳ୍ପୀ ରାମ ସୂତାର ତିଆରି କରିଛନ୍ତି । ଗୁଜୁରାଟରେ ଆଇକନିକ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି ପଛରେ ଥିବା ବ୍ୟକ୍ତି ହେଉଛନ୍ତି ଶିଳ୍ପୀ ରାମ ସୂତାର ।
ଏକାଧିକ ଡିଡିସିଏ କର୍ମଚାରୀଙ୍କ ସମେତ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି, ଭାରତୀୟ ଓପନର ଶିଖର ଧାୱନ, ପୂର୍ବତନ ଭାରତୀୟ ଓପନର ତଥା ବିଜେପିର ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
"ଅରୁଣ ମୋ ପାଇଁ ବଡ ଭାଇ ପରି ଥିଲେ । ରାଜନୈତିକ କ୍ଷେତ୍ରରେ ଥାଇ ମଧ୍ୟ କ୍ରୀଡାପ୍ରତି ଅମାୟିକ ଦୁର୍ବଳତା ପାଇଁ ସେ ପରିଚିତ ଥିଲେ । ସେ ତାଙ୍କ ଭାଷଣରେ ଆକ୍ରମଣାତ୍ମକ ରହିଥିଲେ, ମାତ୍ର ସଂସଦର ସମ୍ମାନ କେବେ ହାନି କରିନଥିଲେ ।" ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହା କହିଥିଲେ ଅମିତ ଶାହ । ଡିଡିସିଏର ସଭାପତି ଭାବେ ଶାହ ମଧ୍ୟ 13 ବର୍ଷ ଦାୟିତ୍ବ ତୁଲାଇଛନ୍ତି ।