ନୂଆଦିଲ୍ଲୀ: ଗୌତମ ଗମ୍ଭୀର ବାଛିଛନ୍ତି ତାଙ୍କର ସର୍ବକାଳୀନ ଟେଷ୍ଟ ଟିମ । ଆଉ ଏଥିରେ ଅଧିନାୟକ ରୂପେ ଧୋନି କିମ୍ବା କୋହଲି ନୁହେଁ ବରଂ ଗୌତମଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଅନିଲ କୁମ୍ବଲେ । ଧୋନି ଓ କୋହଲିଙ୍କୁ ସେ ଟିମରେ ସ୍ଥାନ ଦେଇଛନ୍ତି କିନ୍ତୁ ଅଧିନାୟକ ଭାବେ ନୁହେଁ । ସେ ଆଗରୁ ମଧ୍ୟ କୁମ୍ବେଲଙ୍କୁ ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲେ ।
ଗମ୍ଭୀର ତାଙ୍କ ଟିମରେ ମହାନ ଖେଳାଳି ସୁନୀଲ ଗାଭାସ୍କର ଓ ବିରେନ୍ଦ୍ର ସେହୱାଗଙ୍କୁ ଓପନର ଭାବେ ରଖିଛନ୍ତି । ତିନି ନମ୍ବରରେ ରାହୁଲ ଦ୍ରାବିଡ । ମିଡିଲ ଅର୍ଡରରେ ଅଲରାଉଣ୍ଡର ଭାବେ ରହିଛନ୍ତି ସଚିନ ତେନ୍ଦୁଲକର, କପିଲ ଦେବ ଓ ବିରାଟ କୋହଲି । ଧୋନିଙ୍କୁ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ରଖିଛନ୍ତି ଗମ୍ଭୀର । ଅନିଲ କୁମ୍ବଲେ ଓ ହରଭଜନ ସିଂଙ୍କୁ ସ୍ପିନର ଓ ଜଭଗଲ ଶ୍ରୀନାଥ ଓ ଜହିର ଖାନଙ୍କୁ ପେସ ବିଭାଗରେ ରଖିଛନ୍ତି ଗୌତମ ।
‘‘ସେହୱାଗ ଓ ମୁଁ ଥରେ ରାତ୍ରୀ ଭୋଜନ କରିବା ସମୟରେ କୁମ୍ବଲେ ଆସି କହିଲେ ‘ଯାହା ହେଉନା କାହିଁକି ସମ୍ପୂର୍ଣ୍ଣ ସିରିଜରେ ଆପଣ ଦୁହେଁ ହିଁ ଓପନ କରିବେ । ଯଦି ଆପଣ 8ଟି ଡକ ମଧ୍ୟ କରିବେ ତେବେ ବି କୌଣସି ଫରକ ପଡିବ ନାହିଁ ।’ ମୁଁ ମୋ କ୍ୟାରିୟରରେ ଏମିତି ଶବ୍ଦ କାହାଠାରୁ ଶୁଣି ନାହିଁ । ତେଣୁ ମୁଁ ଯଦି କାହାପାଇଁ ଜୀବନ ଦେଇ ପାରେ ତେବେ ସେ ହେଉଛନ୍ତି କୁମ୍ବଲେ । ସେହି ଶବ୍ଦ ସବୁ ଏବେ ବି ମୋ ହୃଦୟରେ ରହିଛି,’’ ବୋଲି କହିଛନ୍ତି ଗମ୍ଭୀର ।