ହାଇଦ୍ରାବାଦ: କ୍ରିକେଟ ଭାରତରେ ଏକ ଧର୍ମ ବୋଲି କହିଲେ ଭୁଲ ହେବନାହିଁ । ପ୍ରାୟ ସବୁ ବୟସର ଲୋକେ କ୍ରିକେଟ ପ୍ରେମରେ ପାଗଳ । କମ ବୟସର ପିଲାଟିଏ ଖେଳିବାକୁ କ୍ରିକେଟ ବ୍ୟାଟ ଓ ବଲକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରେ । ଏହି ଘଟଣା ହିଁ ବୟାନ କରେ ଆମ ଦେଶରେ କେତେମାତ୍ରାରେ ରହିଛି କ୍ରିକେଟ ପ୍ରତି ଭାଲପାଇବା । ତେବେ କ୍ରିକେଟକୁ କ୍ୟାରିୟର କରିଥିବା ଅନେକ ମହାନ କ୍ରିକେଟର ରହିଛନ୍ତି, ଯେଉଁମାନଙ୍କ ଆରମ୍ଭ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଛି । ଏହି କ୍ରମରେ ଯୋଡି ହୋଇଛନ୍ତି 19 ବର୍ଷରୁ କମ ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ବୀ ଜୟଶ୍ବାଲ ।
ସଫଳତାର ଅନେକ ସଂଘର୍ଷମୟ କାହାଣୀ ରହିଛି । ମାତ୍ର ଯଶ୍ବସ୍ବୀଙ୍କ କ୍ରିକେଟ ଯାତ୍ରା ସମ୍ପୂର୍ଣ୍ଣ ନିଆରା, ଅବିଶ୍ବସନୀୟ ଓ ଅକଳ୍ପନୀୟ । ଦିନେ ପଡିଆ ବାହାରେ ପେଟ ପୋଷିବା ପାଇଁ ଗୁପଚୁପ ବିକୁଥିଲେ । ଏବେ ମୁଣ୍ଡରେ ତ୍ରୀରଙ୍ଗା, ଦେହରେ ଭାରତୀୟ ଜର୍ସି ଓ ଛାତିରେ ବିଶ୍ବର ସବୁଠୁ ବିତ୍ତଶାଳୀ କ୍ରିକେଟ ବୋର୍ଡର ଚିହ୍ନ । ଏଥିସହିତ ଭାରତର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ବ୍ୟାଟରେ କଡା ଜବାବ । ଏ ସବୁ ପରେ ଭାରତୀୟ କ୍ରିକେଟରେ ଯଶସ୍ବୀ ଯେ ଆଗାମୀ ଭବିଷ୍ୟତ, ତାହା ସ୍ପଷ୍ଟ ଅନୁମେୟ ।
ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 19 ବର୍ଷରୁ କମ ବିଶ୍ବକପ ଅଭିଯାନରେ ରହିଛି ଭାରତ । ଏହି ଟୁର୍ଣ୍ଣାମେଣ୍ଟରେ 4ଥର ପୂର୍ବରୁ ଚମ୍ପିଆନ ରହିସାରିଛି ଭାରତୀୟ ଦଳ । ତେବେ ଚଳିତ ଥର ପ୍ରଥମ ଦାବିଦାର ଭାବେ 5ମ ଥର ଚମ୍ପିଆନ ଲକ୍ଷ୍ୟରେ ରହିଛି ଜୁନିୟର ଟିମ ଇଣ୍ଡିଆ । ଚଳିତ ସଂସ୍କରଣର 19 ବର୍ଷରୁ କମ ବିଶ୍ବକପରେ ଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଛି ଭାରତ । ସେମିଫାଇନାଲରେ ପାକିସ୍ତାନକୁ ଏକତରଫା ଭାବେ 10 ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଦଳ । ଏହି ମ୍ୟାଚରେ ଅପରାଜିତ ଶତକୀୟ ଖେଳି ସମସ୍ତଙ୍କ ହୃଦୟ ଜିତିଛନ୍ତି ଯଶସ୍ବୀ । କେବଳ ଭାରତୀୟ ଫ୍ୟାନ୍ସ ନୁହଁନ୍ତି ପଡୋଶୀ ପାକିସ୍ତାନର କ୍ରିକେଟର ମଧ୍ୟ ଯଶସ୍ବୀଙ୍କ ପ୍ରଭାବୀ ପ୍ରଦର୍ଶନରେ ଶତମୁଖ । ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର, ପାକିସ୍ତାନ ଖେଳାଳିଙ୍କୁ ଯଶସ୍ବୀଙ୍କ ଠାରୁ ଶିଖିବାକୁ ପରାମର୍ଶ ଦେଇଛନ୍ତି । ଫାଇନାଲରେ ଭାରତୀୟ ଦଳ, ନ୍ୟୁଜିଲାଣ୍ଡ କିମ୍ବା ବାଂଲାଦେଶ ସହ ମୁକାବିଲା ଖେଳିବ ।