ନୂଆଦିଲ୍ଲୀ: କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ? କୋହଲିଙ୍କ ପସନ୍ଦର ନା ରୋହିତଙ୍କ ପସନ୍ଦର ? ରବିନ-ରୋହିତ ନାଁ ରବି- ବିରାଟ । ଏହାକୁ ନେଇ ବଢିବାରେ ଲାଗିଛି ଉତ୍କଣ୍ଠା । ବର୍ତ୍ତମାନ ମୁଖ୍ୟ କୋଚ ଥିବା ରବି ଶାସ୍ତ୍ରୀଙ୍କ ଆସନ ଉପରେ ରବିନ ସିଂହଙ୍କ ନଜର ପଡିଛି ।
ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ମୁଖ୍ୟ କୋଚ ପାଇଁ ଆବେଦନ କରିଛନ୍ତି । ଏହାପରେ ବର୍ତ୍ତମାନ ଟିମ ଇଣ୍ଡିଆର କୋଚ ଥିବା ରବି ଶାସ୍ତ୍ରୀଙ୍କ ଆସନ ଟଳମଳ ହୋଇଛି । ରବିନ ସିଂହ ଆଇପିଏଲର ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ଅଛନ୍ତି । ତେବେ ରବିନଙ୍କ କୋଚ ପଦ ପାଇଁ ଆବେଦନ ଆଉ ଏକ ନୂଆ ସମୀକରଣକୁ ଜନ୍ମ ଦେଇଛି ।
ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହେଉଛନ୍ତି ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା । ତେଣୁ କୋଚ ରବିନ ଓ କ୍ୟାପଟେନ ରୋହିତଙ୍କ ଯୋଡି ପ୍ରତିପକ୍ଷକୁ ମାତ ଦେବାରେ ମାହିର । ଦମଦାର ରଣନୀତି ସହ ସଠିକ ଗୋଟି ଚାଳନା ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲରେ 4ଥର ଚମ୍ପିଆନର ତାଜ ପିନ୍ଧାଇଛି । ସେପଟେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟଙ୍କ ଯୋଡି ବିଷୟରେ କାହାରିକୁ ଅଛପା ନାହିଁ ।
ଅନ୍ୟପଟେ କୋଚ ରହିବାରେ ରବିନ ସିଂହଙ୍କ ରହିଛି ଲମ୍ବା ଅଭିଜ୍ଞତା । ପ୍ରଥମେ ଜୁନିୟର ଟିମ ଇଣ୍ଡିଆର (19ବର୍ଷରୁ କମ )ଦଳରୁ କୋଚ ଇନିଂସ ଆରମ୍ଭ କରିଥିଲେ ରବିନ ସିଂହ । ପରେ 'ଇଣ୍ଡିଆ-ଏ' ଦଳର ମଧ୍ୟ କୋଚ ରହିଛନ୍ତି । ତେବେ ରବିନ 'ଇଣ୍ଡିଆ-ଏ' ର କୋଚ ଥିବାବେଳେ ଗୌତମ ଗମ୍ଭୀର ଓ ରବିନ ଉତ୍ଥାପାଙ୍କ ଉତ୍ଥାନ ହୋଇଛି ବୋଲି କୁହାଯାଏ । ରବିନ ସିଂହ ହଂକଂ ଜାତୀୟ ଦଳର ମଧ୍ୟ କୋଚ ଭାବେ କାର୍ଯ୍ୟ କରିଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରବିନ ସିଂହ ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ ଦାୟିତ୍ବ ତୁଲାଇଛନ୍ତି । 2010ରେ ସେ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର କୋଚ ନିଯୁକ୍ତ ହୋଇଥିଲେ । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଏକ ଶକ୍ତିଶାଳୀ ଓ ସଫଳ ଦଳ ହୋଇପାରିଛି ।
ରବିନ ସିଂହ ଟିମ ଇଣ୍ଡିଆ କୋଚ ପଦ ପାଇଁ ଆବେଦନ କରିବା ସହ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ରବିନ କହିଛନ୍ତି ବିଶ୍ବକପ ସେମିଫାଇନାଲରେ ଭୁଲ ନିଷ୍ପତ୍ତି ପାଇଁ ଭାରତ ପରାଜିତ ହେଲା । ଯଦି ସେ କୋଚ ଥାନ୍ତେ, ତେବେ ରୋହିତ ଓ ରାହୁଲଙ୍କ ଆଉଟ ପରେ କୋହଲିଙ୍କୁ ସେ 3ନଂ ସ୍ଥାନରେ ବ୍ୟାଟିଂ ପାଇଁ ପଠାଇ ନଥାନ୍ତେ । କୋହଲିଙ୍କୁ 4ନଂ ଓ ଧୋନିଙ୍କୁ୍ 5ନଂରେ ଏକାଠି ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲା ପାଇଁ କହିଥାନ୍ତେ । ପନ୍ତ, ପାଣ୍ଡ୍ୟା ଓ ଜାଡେଜାଙ୍କ ଭଳି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନଙ୍କୁ ମ୍ୟାନ ଫିନିସ ପାଇଁ ଯୋଜନା କରିଥାନ୍ତେ ।
ତେବେ ୱେଷ୍ଟଇଣ୍ଡିଜ ଗସ୍ତ ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ସପୋର୍ଟ ଷ୍ଟାଫ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବ ବିସିସିଆଇ । ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଟିମ ଇଣ୍ଡିଆର କୋଚ ଭାବେ ରହିବେ ନା ତାଙ୍କ ସ୍ଥାନରେ ନୂଆ କୋଚ ନିଯୁକ୍ତ ହେବେ ତାଉପରେ ସମସ୍ତଙ୍କ ନଜର ରହିଛି ।