ନୂଆଦିଲ୍ଲୀ: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଆଧୁନିକ ଯୁଗରେ ଭାରତୀୟ କ୍ରିକେଟ ଟିମ ପାଇଁ ଅଧିନାୟକତ୍ବ କରିଥିବା ସବୁଠାରୁ ଅଧିକ ଲୋକପ୍ରିୟ ଖେଳାଳି । ଧୋନିଙ୍କ ଅଧିନାୟକତ୍ବ ସମୟରେ ଭାରତ ତିନୋଟି ଆଇସିସି ଟାଇଟଲ ଜିତିଥିଲା । 2007 ଚି-20 ବିଶ୍ବକପ, 2011 ଏକଦିବସୀୟ ବିଶ୍ବକପ, 2013 ଚାମ୍ପିୟନ୍ସ ଟ୍ରଫି । ଆଉ ବର୍ତ୍ତମାନ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ଖେଳର ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ବିଶ୍ବର ଶ୍ରେଷ୍ଠ ଫାଷ୍ଟ ବୋଲିଂ ଆଟାକ ମଧ୍ୟରୁ ଗୋଟିଏ ହୋଇଛି । ତେବେ ଉଭୟ ଧୋନି ଓ କୋହଲିଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ତାହା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ ।
ଧୋନି ଅଧିନାୟକ ଭାବେ 200ଟି ଦିନିକିଆ ଖେଳିଛନ୍ତି ଯେଉଁଥରେ ଭାରତ 110 ଟିରେ ବିଜୟୀ ହୋଇଥିବା ବେଳେ 74ଟି ପରାଜିତ ହୋଇଛି । ଅନ୍ୟପକ୍ଷରେ କୋହଲି 89ଟି ଦିନିକିଆରେ ଅଧିନାୟକତ୍ବ କରିଛନ୍ତି ଯେଉଁଥିରେ ଭାରତ 62ଟି ମ୍ୟାଚ ଜିତିଛି । ସେହିପରି ଟେଷ୍ଟରେ ଧୋନି 60ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି ଯେଉଁଥିରେ 45 ପ୍ରତିଶତ ବିଜୟ ହାର ସହ 27ଟିରେ ଭାରତ ବିଜୟୀ ହୋଇଛି । କୋହଲି ଏପର୍ଯ୍ୟନ୍ତ 55 ଟେଷ୍ଟରେ ଅଧିନାୟକ ହୋଇଛନ୍ତି ଓ 60 ପ୍ରତିଶତ ବିଜୟ ହାର ସହ ଭାରତ 33 ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ 12ଟିରେ ପରାଜିତ ହୋଇଛି । ତେବେ ଦୁହିଙ୍କ ଭିତରେ ଶ୍ରେଷ୍ଠ ଅଧିନାୟକ କିଏ ?
ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ । ସେ କହିଛନ୍ତି ଯେ ଉଭୟ କୋହଲି ଓ ଧୋନିଙ୍କ କ୍ୟାପ୍ଟେନ୍ସି ଷ୍ଟାଇଲ ଦୁଇଟି ଭିନ୍ନ ଟିମକୁ ଗଢ଼ି ତୋଳିଛି । ବିରାଟ କୋହଲି ଜଣେ ଅତ୍ୟନ୍ତ ସକ୍ରିୟ ଏବଂ ପ୍ରଭାବଶାଳୀ ଅଧିନାୟକ । ଏହା ତାଙ୍କୁ ବହୁତ ଶକ୍ତି ଦେଇଥାଏ ଏବଂ ସେ ଏବେ ମଧ୍ୟ ଆହୁରି ଭଲ କରୁଛନ୍ତି । ଅଧିନାୟକ ଭାବରେ କୋହଲିଙ୍କ ସବୁଠାରୁ ବଡ଼ କଥା ହେଲା ସେ କେବଳ ରନ ସ୍କୋର କରନ୍ତିନି ବରଂ ତାଙ୍କ ଭିତରେ ଥିବା ଶକ୍ତିକୁ ମଧ୍ୟ ଉପୋଯୋଗ କରନ୍ତି ।