ଓଡିଶା

odisha

ETV Bharat / sports

ଟେଷ୍ଟ କ୍ରିକେଟରୁ ଡୁ ପ୍ଲେସିସଙ୍କ ଅବସର ଘୋଷଣା‌ - ଟେଷ୍ଟ କ୍ରିକେଟ

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ । ବୁଧବାର ଏନେଇ ସେ ଘୋଷଣା କରିଛନ୍ତି । 2021ରେ ହେବାକୁ ଥିବା ଟି-20 ବିଶ୍ବକପରେ ଧ୍ୟାନ କେନ୍ଦ୍ରିତ କରିବେ । ଅଧିକ ପଢ଼ନ୍ତୁ...

Faf du Plessis retires from Test cricket
ଟେଷ୍ଟ କ୍ରିକେଟରୁ ଡୁ ପ୍ଲେସିସଙ୍କ ଅବସର ଘୋଷଣା‌

By

Published : Feb 17, 2021, 11:20 AM IST

Updated : Feb 17, 2021, 6:13 PM IST

ଜୋହାନ୍ସବର୍ଗ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ । ବୁଧବାର ଏନେଇ ସେ ଘୋଷଣା କରିଛନ୍ତି । ଚଳିତ ବର୍ଷ (2021)ରେ ହେବାକୁ ଥିବା ଟି-20 ବିଶ୍ବକପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି । ତେବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି।

ଡୁ ପ୍ଲେସିସଙ୍କ ବାର୍ତ୍ତା

36 ବର୍ଷୀୟ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, "କ୍ରିକେଟର ତିନୋଟି ଫର୍ମାଟରେ ଦେଶ ପାଇଁ ଖେଳିବା ମୋ ପାଇଁ ଗର୍ବର ବିଷୟ। କିନ୍ତୁ ବର୍ତ୍ତମାନ ମୋ ପାଇଁ ଟେଷ୍ଟ କ୍ରିକେଟରୁ ଅବସର ନେବା ସମୟ ଆସି ଯାଇଛି। ଯଦି 15 ବର୍ଷ ପୂର୍ବରୁ ମୋତେ କେହି କହିଥାନ୍ତେ, ଯେ ମୁଁ ଦକ୍ଷିଣଆଫ୍ରିକା ପାଇଁ କ୍ରିକେଟ ଖେଳିବି ଓ ସେହି ଦଳର ଅଧିନାୟିକତ୍ବ କରିବି । ତେବେ ମୁଁ କେବେ ବିଶ୍ବାସ କରି ନଥାନ୍ତି।"

ଏହାପରେ ସେ ପୁଣି କହିଛନ୍ତି, ଆଗକୁ ଦୁଇ ବର୍ଷରେ ଦୁଇଟି ଆଇସିସି ଟି-20 ବିଶ୍ବକପ ହେବାକୁ ଯାଉଛି । ବର୍ତ୍ତମାନଠାରୁ ହିଁ ମୁଁ ଦୁଇ ଟୁର୍ଣ୍ଣାମେଣ୍ଟରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି। ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ମୁଁ ମୋର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଚାହୁଁଛି। ମୋର ବିଶ୍ବାସ ଏହି ଫର୍ମାଟ କ୍ରିକେଟରେ ମୁଁ ଦକ୍ଷିଣ ଆଫ୍ରିକାକୁ ବହୁତ କିଛି ଦେଇ ପାରିବି। ଟି-20 କ୍ରିକେଟକୁ ପ୍ରାଥମିକତା ଦେବା ସହ ସେ ଦିନିକିଆ କ୍ରିକେଟ ଖେଳ ଜାରି ରଖିବେ ବୋଲି କହିଛନ୍ତି।

ଟେଷ୍ଟ କ୍ୟାରିଅର

2012 ମସିହା ନଭେମ୍ବର 22 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ ଫାଫ୍ ଡୁ ପ୍ଲେସିସ୍। ନିଜ କ୍ୟାରିଅରରେ ସେ 69ଟି ଟେଷ୍ଟ ମ୍ୟାଚ ଖେଳି 40.02 ହାରରେ 4 ହଜାର 163 ରନ କରିଛନ୍ତି। ଟେଷ୍ଟ ମ୍ୟାଚରେ ଡୁ ପ୍ଲେସିସ 10ଟି ଶତକ ହାସଲ କରିଥିବା ବେଳେ 21ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ସର୍ବାଧିକ ସ୍କୋର ହେଉଛି 199 ରନ। ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲେ । ତେବେ ସେ କୌଣସି ଦ୍ବିଶତକ ହାସଲ କରି ପାରି ନାହାନ୍ତି।

2016ରୁ 2020 ମସିହା ମଧ୍ୟରେ ଡୁ ପ୍ଲେସିସ 36ଟି ଟେଷ୍ଟରେ ଅଧିନାୟକ ଦାୟିତ୍ବ ନେଇଛନ୍ତି। ସେଥି ମଧ୍ୟରୁ 18ଟି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ 15ଟି ମ୍ୟାଚରେ ପରାଜିତ ହୋଇଥିଲା ଏବଂ 3ଟି ଟେଷ୍ଟ ମ୍ୟାଚ ଡ୍ର କରିବାକୁ ସକ୍ଷମ ହୋଇଥିବା ଦଳ ।

ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ ଫାପ ଡୁ ପ୍ଲେସିସ । ରାଓ୍ବଲପିଣ୍ଡିରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ପ୍ରଥମ ଇନିଂସରେ 17 ରନ କରିଥିବା ବେଳେ ଦ୍ବିତୀୟ ଇନିଂଶରେ 5 ରନ କରିଥିଲେ।

@ians

Last Updated : Feb 17, 2021, 6:13 PM IST

ABOUT THE AUTHOR

...view details