ଲଣ୍ଡନ: ଆୟରଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ 14 ଜଣିଆ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଏଜେସ ବାୱଲ ସାଉଥହାମ୍ପଟନରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଆସନ୍ତା ଗୁରୁବାର ଠାରୁ ଏହି ସିରିଜ ଆରମ୍ଭ ହେବ । ଜୈବ ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଇଆନ ମୋର୍ଗାନ ଇଂଲଣ୍ଡର କ୍ୟାପଟେନ ଥିବାବେଳେ, ମୋଇନ ଅଲ୍ଲୀଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।
ଏହି ସିରିଜରୁ ଆଇସିସି ବିଶ୍ବକପ ସୁପର ଲିଗର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ପଏଣ୍ଟ ଟେବୁଲର ଶୀର୍ଷ 7ଟି ଦଳ 2023ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
ଅନ୍ୟପଟେ ଏହି ସିରିଜ ପାଇଁ 14 ଜଣିଆ ଆୟରଲାଣ୍ଡ ଦଳ ଘୋଷଣା ହୋଇଛି । "ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ମ୍ୟାଚ ପାଇଁ 14 ଜଣିଆ ଦଳ ପ୍ରସ୍ତୁତ ହୋଇଛି । ଆବଶ୍ୟକ ସ୍ଥଳେ ବଦଳ ଖେଳାଳି ଭାବେ ଅନ୍ୟ ଖେଳାଳି ଖେଳିପାରିବେ ।" ଆୟରଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ 22ଜଣିଆ ଆୟରଲାଣ୍ଡ ଦଳ ସାଉଥହାମ୍ପଟନ ଗସ୍ତ କରିଥିଲା । ଚୟନକର୍ତ୍ତା ପ୍ରତ୍ୟେକ ମ୍ୟାଚ ପାଇଁ 14 ଜଣିଆ ଦଳ ଚୟନ କରିବା ନେଇ ବ୍ୟବସ୍ଥା ହୋଇଛି । ଏଥିସହିତ ବାକି 8 ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଛି ।