ମାଞ୍ଚେଷ୍ଟର: ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନଙ୍କ ବିସ୍ପୋରକ ଅର୍ଦ୍ଧଶତକ ସହାୟତାରେ ଘରୋଇ ଇଂଲଣ୍ଡ ଦ୍ବିତୀୟ ଟି-20ରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ମିଳିଥିବା 196ରନ ବିଜୟ ଲକ୍ଷ୍ୟକୁ 5 ୱିକେଟରେ ହାସଲ କରିନେଇଛି ମୋର୍ଗାନଙ୍କ ଦଳ ।
196 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡକୁ ଦୁଇ ଓପନର ଟମ ବଣ୍ଟନ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ଭଲ ଆରମ୍ଭ କରିଥିଲେ । ପାୱରପ୍ଲେ ରେ ଉଭୟ ଖେଳାଳି 60 ରନ ଯୋଡିଥିଲେ । ବେୟାରଷ୍ଟୋ 24 ବଲରୁ 2ଟି ଛକା ଓ 4ଟି ଚୌକା ସହାୟତାରେ ଦ୍ରୁତ 44 ରନର ଇଂନିସ ଖେଳିଥିଲେ । ସେହିପରି ଟମ ବଣ୍ଟନ 16 ବଲରୁ 20 ରନର ଯୋଗଦାନ କରିଥିଲେ ।
ତେବେ ପାୱରପ୍ଲେ ଶେଷ ହେବାପରେ ପାକିସ୍ତାନ କ୍ୟାପଟେନ ବାବାର ଆଜାମ ବୋଲି ଭାର ସ୍ପିନର ସଦାବ ଖାନଙ୍କୁ ଦେଇଥିଲେ । କ୍ୟାପଟେନଙ୍କ ଭରସା ଜିତିବା ସହ ସଦାବ ଉଭୟ ଓପନରଙ୍କ ୱିକେଟ ଅକ୍ତିଆର କରିଥିଲେ । ତେବେ ପ୍ରତିପକ୍ଷ କ୍ୟାପଟେନ ଇଆନ ମୋର୍ଗାନ ପାଲଟା ଆକ୍ରମଣ କରିବା ସହ 33 ବଲରୁ ଦ୍ରୁତ 66 ରନର ବିଜୟୀ ଇଂନିସ ଖେଳିଥିଲେ । ଅନ୍ୟତମ ବ୍ୟାଟ୍ସମ୍ୟାନ ଡେଭିଡ ମଲାନ ମଧ୍ୟ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ମ୍ୟାଚର 17ତମ ଓଭରରେ ମୋର୍ଗାନ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ମଲାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।
ପୂର୍ବରୁ ପାକିସ୍ତାନ ମହମ୍ମଦ ହାଫିଜଙ୍କ 36 ବଲରୁ 69 ଓ କ୍ୟାପଟେନ ବାବାର ଆଜମଙ୍କ 44 ବଲରୁ 7 ଚୌକା ସହାୟତାରେ 56 ରନ ସହାୟତାରେ 195 ରନ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ