ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ ଏମଏସ ଧୋନିଙ୍କ ଅଧିନାୟକତ୍ବର ଖୁବ ପ୍ରସଂଶା କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରେ ଭାରତର ପୂର୍ବତନ ଅଧିନାୟକ କିପରି ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଖୁବ ସହଜ ଅନୁଭବ କରାଇଥାନ୍ତି ତାହା କହିଛନ୍ତି ବ୍ରାଭୋ ।
2011 ମସିହାରୁ ସିଏସକେରେ ଧୋନିଙ୍କ ସହ ଖେଳୁଥିବା ବ୍ରାଭୋ କହିଛନ୍ତି ଯେ ଏତେ ସଂଖ୍ୟକ ଅନ୍ତର୍ଜାତୀୟ ଅଧିନାୟକ ଥାଇ ମଧ୍ୟ ଧୋନି ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ । ଯାହାର କାରଣ ହେଉଛି ସେ ଯେଭଳି ଭାବରେ ତାଙ୍କ ଖେଳାଳିଙ୍କ ପାଇଁ ଏକ ଭିନ୍ନ ପରିବେଶ ସୃଷ୍ଟି କରନ୍ତି ।
‘‘ବର୍ଷ ବର୍ଷ ଧରି ସିଏସକେର ଡ୍ରେସିଂ ରୁମରେ ଅନେକ ଭଲ ଅଧିନାୟକ ରହିଛନ୍ତି । ଫାଫ୍ ଡୁ ପ୍ଲେସିସ୍, ବ୍ରାଣ୍ଡନ୍ ମ୍ୟାକକୁଲମ, ମୁଁ ନିଜେ, ମାଇକ ହସି । ଏମାନେ ବିଭିନ୍ନ ଦେଶର ନେତୃତ୍ବ ନେଇ ଆସିଛନ୍ତି, କିନ୍ତୁ ଏମଏସ ଏମିତି ଜଣେ ବ୍ୟକ୍ତି ଯିଏ ସବୁବେଳେ କୁହନ୍ତି, ‘‘ତୁମେ ଭଲ ଖେଳୁଛ ବୋଲି ତୁମେ ଏଠାରେ ଅଛ, ତୁମକୁ କାହାରିକୁ କିଛି ପ୍ରମାଣ ଦେବାର ଆବଶ୍ୟକତା ନାହିଁ । ତୁମେ କ’ଣ କରିପାରିବ ତାହା ଫ୍ରାଞ୍ଚାଇଜ ଦେଖେ ଓ ଜାଣେ । କେବଳ ନିଜ ପ୍ରଦର୍ଶନ ଜାରି ରଖ,’’ ବ୍ରାଭୋ ଏକ ଭିଡିଓ ଚାଟରେ କହିଛନ୍ତି ।