ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ବିଶ୍ବାସ କରନ୍ତି ଯେ ୱିକେଟ କିପର-ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏମଏସ ଧୋନିଙ୍କ ବିକଳ୍ପ ଭାବରେ ଏକ ଦୀର୍ଘକାଳୀନ ସମାଧାନ ନୁହଁନ୍ତି । ଭାରତର ପୂର୍ବତନ ଅଧିନାୟକ ଧୋନି ଗତ ବର୍ଷ ଭାରତ ବିଶ୍ବକପ ଅଭିଯାନର ସମାପ୍ତି ପରଠାରୁ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କୁ ଫୁଲ ଟାଇମ ୱିକେଟ କିପର ଭାବରେ ଦେଖାଯାଉଥିଲା । କିନ୍ତୁ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନଥିବା କାରଣରୁ କେଏଲ ରାହୁଲଙ୍କୁ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ୱିକେଟ କିପର ଭାବରେ ନିଆଯାଇଥିଲା ।
ଭାରତର ୱିକେଟ କିପରକୁ ନେଇ ଲାଗି ରହିଥିବା ଦ୍ବନ୍ଦ ବିଷୟରେ କୈଫ କହିଛନ୍ତି ଯେ ଭାରତ ଏପର୍ଯ୍ୟନ୍ତ ଏମଏସ ଧୋନିଙ୍କ ବିକଳ୍ପ ପାଇପାରି ନାହିଁ ।
“ତାଙ୍କର କୌଣସି ବିକଳ୍ପ ନାହିଁ । ଧୋନିଙ୍କ ସ୍ଥାନରେ ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ମୁଁ ଭାବୁନାହିଁ କେଏଲ ରାହୁଲ ଏକ ଦୀର୍ଘକାଳୀନ ବିକଳ୍ପ । ସେ ସର୍ବଦା ବ୍ୟାକଅପ୍ ୱିକେଟ କିପର ହେବା ଉଚିତ, ଯଦି ଜଣେ କିପର ଆହତ ହୁଅନ୍ତି ତେବେ ରାହୁଲ ୱିକେଟ କିପିଙ୍ଗ କରିବା ଉଚିତ,’’ ବୋଲି କୈଫ କହିଛନ୍ତି ।