ଚେନ୍ନାଇ: ଅନ୍ତର୍ଜାତୀୟ ପପ୍ ଷ୍ଟାର ରିହାନା ଦେଶରେ ଜାରିଥିବା ଚାଷୀ ଆନ୍ଦୋଳନ ନେଇ ଟ୍ବିଟ କରିବା ପରେ ଭାରତରେ ନୂଆ ବିବାଦର ସୂତ୍ରପାତ ହୋଇଛି । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମେତ କ୍ୟାପଟେନ ବିରାଟ କୋହଲି ଓ ଏକାଧିକ ଭାରତୀୟ କ୍ରିକେଟର ଟ୍ବିଟରରେ ନିଜର ମତ ରଖିଥିଲେ । ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୁରାଇବାକୁ ମଧ୍ୟ ମତ ପ୍ରକାଶ ପାଇଥିଲା । ଭାରତ ଏକାଠି ରହିଛି ଓ ନିଜ ଦେଶର ସମସ୍ୟା ସମାଧାନ ପାଇଁ ପ୍ରୟାସ କରୁଛି । ତେବେ ଚାଷୀ ଅନ୍ଦୋଳନ ପ୍ରସଙ୍ଗ ଟିମ ଇଣ୍ଡିଆର ଟିମ ମିଟିଂରେ ସ୍ଥାନ ପାଇଛି ବୋଲି, ଗୁରୁବାର କହିଛନ୍ତି କ୍ୟାପଟେନ ବିରାଟ କୋହଲି ।
ଚେନ୍ନାଇରେ ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, "ଦେଶରେ ବର୍ତ୍ତମାନ ସ୍ଥିତିରେ ଘଟୁଥିବା କୌଣସି ଘଟଣା ସମ୍ପର୍କରେ ଆଲୋଚନା କରୁ ଓ ସମସ୍ତେ ନିଜର ମତ ରଖନ୍ତି । ଚାଷୀ ଅନ୍ଦୋଳନ ନେଇ ମଧ୍ୟ ସଂକ୍ଷିପ୍ତରେ ଚର୍ଚ୍ଚା ହୋଇଥିଲା ଓ ପରେ ଟିମର ରଣନୀତି ବିଷୟରେ ଆଲୋଚନା ହୋଇଥିଲା ।"