ହାଇଦ୍ରାବାଦ: ଆଇସିସି ଦିନିକିଆ ମହିଳା ବିଶ୍ବକପ ନେଇ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ମିତାଲି ରାଜ ସକରାତ୍ମକ ମତ ରଖିଛନ୍ତି । ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଟ୍ରଫି ବିଜୟ ଲକ୍ଷ୍ୟ ରହିଥିବା ମିତାଲି କହିଛନ୍ତି ।
ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନ୍ୟୁଜିଲାଣ୍ଡରେ 2021ରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପକୁ କୋରୋନା ଭାଇରସ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚାଇଦେଇଛି । ଫେବୃଆରୀ-ମାର୍ଚ୍ଚ 2022ରେ ଏହି ମେଗା ଇଭେଣ୍ଟ ଖେଳାଯିବ ।
ଏହି ଘୋଷଣା ପରେ ପୂର୍ବତନ କ୍ରିକେଟର ତଥା କମେଣ୍ଟଟର ଲିସା ସ୍ଥଲେକର ଟ୍ବିଟ ଯୋଗେଁ ନିରାଶ ପ୍ରକାଶ କରିଥିଲେ । ବିଶ୍ବକପ ପରେ ଅବସର ଅପେକ୍ଷାରେ ଥିବା ମିତାଲି ରାଜ, ଝୁଲଣ ଗୋସ୍ବାମୀ ଓ ରାଚେଲ ହେଇନସଙ୍କ ପରି ଖେଳାଳିଙ୍କୁ ଅଧିକ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ଏହାର ଉତ୍ତରରେ ମିତାଲି, ସହମତି ପ୍ରକାଶ କରିବା ସହ ବିଶ୍ବକପ ଟ୍ରଫି ଟାର୍ଗେଟରେ ରହିଥିବା କହିଛନ୍ତି ।