ମୁମ୍ବାଇ: କ୍ରିକେଟ ଓ କ୍ରିକେଟର ଭଗବାନ ସଚିନଙ୍କର ସବୁଠାରୁ ବଡ ଫ୍ୟାନ ହେଉଛନ୍ତି ସୁଧୀର କୁମାର ଗୌତମ । ପତଳା ଦେହରେ ତିରଙ୍ଗା ରଙ୍ଗ, ଲଣ୍ଡା ମୁଣ୍ଡ, ଗୋଟିଏ ହାତରେ ଶଙ୍ଖ ଆଉ ଗୋଟିଏ ହାତରେ ଭାରତର ତିରଙ୍ଗା, ପାଟିରେ ଆଉ ପିଠିରେ ତାଙ୍କର ଗୋଟିଏ ନାଁ ସଚିନ ତେନ୍ଦୁଲକର । ଗତ ଗୋଟିଏ ଦସନ୍ଧି ଧରି ଭାରତୀର କ୍ରିକେଟର ଏମିତି କୌଣସି ମ୍ୟାଚ ନଥିବ ଯେଉଁଠି ସୁଧୀର ଉପସ୍ଥିତ ନଥିବେ । ଘରୋଇ ହେଉ ବା ବିଦେଶ ସବୁଠି ହାତରେ ତିରଙ୍ଗା ଧରି ହାଜର ହୋଇ ଯାଆନ୍ତି ସେ । ଯେତେବେଳେ ମ୍ୟାଚରେ କୌଣସି ସେଲିବ୍ରେସନ ହୁଏ ଟିଭି କ୍ୟାମେରା ସୁଧୀରଙ୍କ ଉପରେ ଜୁମ କରେ ଆଉ ସୁଧୀର ନିଜର ଶଙ୍ଖ ବଜାଇବା ସହ ବଡ ତିରଙ୍ଗାକୁ ଉଡାଇ ଦିଅନ୍ତି ।
ତେବେ ବର୍ତ୍ତମାନ ସେ ଅଛନ୍ତି ହୋମ କ୍ବାରେଣ୍ଟାଇନରେ, ଯାହାକୁ ନେଇ ତାଙ୍କର ଚିନ୍ତା ନାହିଁ । ନିଜ ଗାଁ ବିହାରର ମୁଜ୍ଜଫରପୁର ଜିଲ୍ଲାର ଦାମୋଦରପୁରେ ସୁଧୀରଙ୍କ ଉପରେ ଗ୍ରାମବାସୀ ଅବିଶ୍ବାସ କରିଥିଲେ କାରଣ ସେ ଲକଡାଉନ ଘୋଷଣା ହେବା ପରଠାରୁ ଦିଲ୍ଲୀରେ ନିଜ ବନ୍ଧୁଙ୍କ ଘରେ ଥିଲେ ଓ ମେ 7 ତାରିଖରେ ଘରକୁ ବାହୁଡି ଥିଲେ । 55 ଦିନ ବନ୍ଧୁଙ୍କ ଘରେ ରହିବା ପରେ ସୁଧୀର ଏକ ପୁରୁଣା ମୋଟର ସାଇକେଲର ବ୍ୟବସ୍ଥା କରି 2 ଦିନରେ 1000 କିମି ବାଟ ଆସିଥିଲେ ।
ମେ 7 ତାରିଖ ରାତିରେ ସେ ଲକ୍ଷ୍ନୌରେ ପହଁଞ୍ଚିଲେ ସେଠାରେ ସେ ଜଣେ ବନ୍ଧୁଙ୍କ ଘରେ ରାତ୍ରିଯାପନ କରି ଫେରିବା କଥା ଚିନ୍ତା କରିଥିଲେ କିନ୍ତୁ ତାହା ହୋଇ ପାରିଲା ନାହଁ ।
‘‘ମୋ ବନ୍ଧୁଙ୍କ ପାଖ ପଡିସା, ମୁଁ ଦିଲ୍ଲୀରୁ ଆସିଛି କାଳେ କୋରୋନା ନେଇ ଆସିଥିବି ବୋଲି ସେଠାରେ ରହିବାକୁ ଦେଲେ ନାହିଁ,’’ ବୋଲି ସୁଧୀର କହିଛନ୍ତି ।
ନିଜ ଗାଁ ଦାମୋଦରପୁରକୁ 8 ମେ ରେ ପହଁଞ୍ଚିବା ପରେ ସେଠାରେ ମଧ୍ୟ ତାଙ୍କ ଗାଁ ଲେକ ତାଙ୍କୁ ପୂର୍ବ ଭଳି ସ୍ନେହ ଆଦର କଲେ ନାହିଁ । ‘‘ସମସ୍ତେ ଡରିଯାଇଥିଲେ ।’’
ସରପଞ୍ଚଙ୍କୁ ଲୋକେ ଅଭିଯୋଗ ହେବା ପରେ ସୁଧୀରଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସେ 21 ଦିନ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ।