ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମ୍ର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ । 65 ବର୍ଷରେ ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ 'ଗେଡ୍' ଷ୍ଟୋକ୍ସଙ୍କ ପରଲୋକ ହୋଇଛି । ପ୍ରାୟ ଏକ ବର୍ଷ ଧରି ସେ ବ୍ରେନ କ୍ୟାନସର ପୀଡିତ ହେବା ପରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ମଙ୍ଗଳବାର ଗେରାର୍ଡ 'ଗେଡ୍' ଷ୍ଟୋକ୍ସଙ୍କ ରଗବୀ ସଙ୍ଗଠନ ଟ୍ବିଟ୍ କରି ସୂଚନା ଦେଇଛି ।
ସେ ୱାର୍କିଂଟନ ସହର ପାଇଁ 1982-83 ମସିହାରେ ରଗବୀ ଖେଳିଥିଲେ । ପରେ ସେ ଏହି କ୍ଲବର କୋଚ୍ ଭାବେ 2003ରେ ନିଯୁକ୍ତି ପାଇଥିଲେ । ତେବେ ତାଙ୍କ ଦେହାନ୍ତଙ୍କୁ ନେଇ ରଗବୀ ସଙ୍ଗଠନ ଟ୍ବିଟ୍ କରି କହିଛି,‘ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଖଃଦ ଖବର ଶୁଣିବା ପରେ ସମସ୍ତେ ମର୍ମାହତ ।’ ସେହିପରି ଏହି ଦୁଃଖଦ ସମୟରେ ବେନ ଷ୍ଟୋକ୍ସଙ୍କ ପରିବାର ସହିତ ଆମର ସମବେଦନା ରହିଛି ବୋଲି ଇସିବି(ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ) ପକ୍ଷରୁ ଟ୍ବିଟରେ କୁହାଯାଇଛି ।