ନୂଆଦିଲ୍ଲୀ: ଭାରତୀୟ ବୋଲର ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମରାଙ୍କ ପ୍ରତି କଙ୍ଗାରୁ ମାଟିରେ ଜାତିଆଣ ଆକ୍ଷେପ ହୋଇଛି । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ । 'କ୍ରିକେଟ ଭଦ୍ରଲୋକଙ୍କ ଖେଳ, ଜାତିଆଣ ଆକ୍ଷେପର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳା ।
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବୁମରା ଓ ସିରାଜଙ୍କ ପ୍ରତି କିଛି ଅଷ୍ଟ୍ରେଲୀୟ ଫ୍ୟାନ୍ସ ଜାତିଆଣ ଆକ୍ଷେପ ସହ କଟୁ ଶବ୍ଦ ପ୍ରୟୋଗ କରିଥିବା ସୂଚନା ମିଳିଛି ।
ଏହି ଘଟଣାରେ ଶୁକ୍ଳା କହିଛନ୍ତି, ଏପରି ଦୁର୍ବ୍ୟବହାର ଗ୍ରହଣୀୟ ନୁହେଁ । ବିସିସିଆଇ ସମ୍ପାଦକ ଜୟ ଶାହା ଘଟଣା ନେଇ ଅବଗତ ଅଛନ୍ତି ଓ ଟିମ ସହ ସଂପର୍କରେ ରହିଛନ୍ତି । ବର୍ତ୍ତମାନ ଟିମ ମ୍ୟାନେଜମେଣ୍ଟ ଘଟଣାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟ କରୁଛି । ବିସିସିଆଇ ସହ ଆଇସିସି ମଧ୍ୟ ଘଟଣା ନେଇ ଅବଗତ ରହିଛି । ଏପରି ନିର୍ଯାତନା ପାଇଁ ଆଇସିସିର ନିୟମ ମଧ୍ୟ ରହିଛି ।